ଆଜି ମହାନବମୀ ପୂଜା

ଭୁବନେଶ୍ୱର:ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ନବମୀ ପୂଜା। କଟକ, ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ପୂଜାମଣ୍ଡପରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ପରିବେଶ ସମ୍ପୂର୍ଣ୍ଣଭାବେ ପାର୍ବଣମୟ ହୋଇଉଠିଥିଲା। ତାହାଭିତରେ ଝଲସୁଥିଲା ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି‌, ସତେ ଯେମିତି ଅଜାଡ଼ି ଦେଉଛନ୍ତି ଶୁଭାଶିଷ।
ରାଜଧାନୀରେ ୧୭୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ

ଚଳିତ ବର୍ଷ ରାଜଧାନୀର ଛୋଟ ବଡ଼ ମିଶାଇ ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି। ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି। ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି। ପୂର୍ବାହ୍ନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ମହାଷ୍ଟମୀ ଉପଲକ୍ଷେ ସୋମବାର ଦିନ ମଣ୍ଡପଗୁଡ଼ିକରେ ସକାଳୁ ସକାଳୁ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଜମି ଯାଇଥିଲା। ମହିଳାମାନେ ପରିବାରର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଭୋଗରାଗ କରିବା ସହ ପୂଜାର୍ଚ୍ଚନା କରିଥିଲେ।

Comments are closed.