ବାତ୍ୟା ‘ଜୱାଦ’ ପାଇଁ ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପାଇଁ ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି | ମାଡି ଆସୁଛି ବାତ୍ୟା ‘ଜୱାଦ’ । ଏହା ଆସନ୍ତା ୪ ତାରିଖରେ ଲ୍ୟାଣ୍ଡଫଲ କରିବ । ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବ । ୩ ତାରିଖରେ ବାତ୍ୟା ରୂପ ନେଇ ୪ ତାରିଖରେ ସ୍ଥଳଭାଗ ଛୁଇଁବ । ଉତ୍ତର ଆନ୍ଧ୍ର କିମ୍ବା ଓଡିଶା ଉପକୂଳରେ ବାତ୍ୟା ‘ଜୱାଦ’ ସ୍ଥଳଭାଗ ଛୁଇଁବ । ବାତ୍ୟା ନେଇ ଏସଆରସି ସତର୍କତା ଜାରି କରିଛନ୍ତି |

ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ୩ ତାରିଖରୁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହେବ । ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟ ଛୁଇଁବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ପାଣିପାଗ ବଇବାଗ ପକ୍ଷରୁ ଜାରି କରାଯାଇଛି ।

ସେହିପରି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.