ଓଡ଼ିଶାର ଟଳିଲା ବାତ୍ୟା ଭୟ,୨୪ ଓ ୨୫ରେ ବର୍ଷା

ଭୁବନେଶ୍ବର : ୨୪ ଓ ୨୫ ତାରିଖ ଓଡ଼ିଶା ବର୍ଷାରେ ଭିଜିବ ବୋଲି ଆଇଏମ୍‌ଡି ଆଜି ସ୍ପଷ୍ଟ ସୂଚନା ଦେଇଛି। ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବ। ହେଲେ ଓଡ଼ିଶା ଉପରେ ଏହାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟାଟି ମୁହାଁଇବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଏହି ଖବର ଆଜି ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିଛି।

ଆଇଏମ୍‌ଡି ଡିଜି ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ। ୨୩ ତାରିଖ ବେଳକୁ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ।

୨୪ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଓ ଏକ ‘ବାତ୍ୟା’ର ରୂପ ନେବ। ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ। ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ। ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିବାର ସମ୍ଭାବନା ରହିଛି। ତେବେ ଏବେଠୁ ଏହାର ତୀବ୍ରତା ସମ୍ପର୍କରେ କହିହେବ ନାହିଁ। ଅବପାତରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ।

Comments are closed.