ରାଜ୍ୟରେ ସକାଳ ୯ଟାରୁ ୫ଟା ଯାଏଁ ଟିକାକରଣ

ଭୁବନେଶ୍ୱର,୧୩ ।୧: ରାଜ୍ୟରେ ଟିକାକରଣ ପ୍ରସ୍ତୁତି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୬ ତାରିଖରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ ଚାଲିବ । ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନ ନଆସିଲେ ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ । କେବଳ ନିର୍ଦ୍ଧାରିତ ଦିନ ହିଁ ହିତାଧିକାରୀ ଟିକା ନେବେ, ଅନ୍ୟ ଦିନ ନୁହେଁ । ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ବେଳେ ଲକ୍ଷଣମୁକ୍ତ ନହେବା ଯାଏଁ କୋଭିଡ ଟିକା ନେଇ ପାରିବେନି ହିତାଧିକାରୀ । ପ୍ରଥମ ଡୋଜ ନେବାର କିଛି ଦିନରେ ପଜିଟିଭ୍ ଆସିଲେ, ୨ୟ ଡୋଜ୍ ନେବେନି । ୨୮ ଦିନ ପରେ ୨ୟ ଡୋଜ ନନେଇ ସୁସ୍ଥ ହେବା ଯାଏଁ ଅପେକ୍ଷା କରିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୪.୦୮ ଲକ୍ଷ ଡୋଜ୍ କୋଭିଡ ଟିକା ମିଳିଛି । ୧.୯୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ୨ଟି ଡୋଜ୍ ଦିଆଯିବ । ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ରାଜ୍ୟରେ ଟିକାକରଣ ନେଇ ଏସସିବି ଭେଷଜ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, “ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ପ୍ରଥମେ ରାଜ୍ୟର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ସରିଛି । ରାଜ୍ୟର ସମସ୍ତ ଜିଲ୍ଲାକୁ କରୋନା ଟିକା ପ୍ରେରଣ ଜାରି ରହିଛି । କମ୍ ହିତାଧିକାରୀ ହେଲେ ୨/୩ଟି କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସମସ୍ତଙ୍କୁ ଡାକି ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ପଞ୍ଜୀକରଣ କରିଥିବା ହିତାଧିକାରୀଙ୍କୁ ପରିଚୟପତ୍ର ବ୍ୟବହାର କରିବା ଜରୁରୀ । ନିର୍ଦ୍ଧାରିତ ତାରିଖରେ ହିତାଧିକାରୀ ନଆସିଲେ ପରେ ଟିକା ଦେବା ଅସମ୍ଭବ ହୋଇପଡିବ ।”

Comments are closed.