ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଠାବ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଜିଲ୍ଲା ଭବାନୀପାଟଣା ନୂଆ ବସଷ୍ଟାଣ୍ଡ ଠାରେ ଜଣେ ବ୍ୟକ୍ତିର ମୃତଦେହ ଠାବ କରାଯାଇଛି । ପୋଲିସ ସୂଚନା ଅନୁସାରେ ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଏକ କ୍ଷତଚିହ୍ନ ଦେଖିବାକୁ ମିଳିଥିବା ସହ ପାଟିରୁ ଫେଣ ବାହାରିଥିବା ଯୋଗୁଁ ମୃତ୍ୟୁ ଘଟଣାଟି ସନ୍ଦେହ ଘେରକୁ ଟାଣି ନେଉଛି । ପ୍ରାପ୍ତ ସୂଚନା ଅନୁଯାୟୀ ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲା ବାସୀନ୍ଦା ବୋଲି ଜଣାପଡିଛି ଏବଂ ସାତ ଆଠ ମାସ ହେବ ଭବାନୀପାଟଣା ସହରରେ ବୁଲୁଥିଲେ ।
ତେବେ ଏହି ମୃତ୍ୟୁ ଘଟଣାରୁ ରାତ୍ରି ଆଶ୍ରୟସ୍ଥଳୀର କାର୍ଯ୍ୟକାରୀତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଗରିବ ନିରୀହ ବ୍ୟକ୍ତିଙ୍କ ରାତ୍ରିଯାପନ ପାଇଁ ସହରର ପୁରୁଣାପଡା ଠାରେ ଏକ ରାତ୍ରି ଆଶ୍ରୟସ୍ଥଳୀ ତିଆରି କରିଥିଲେ ମଧ୍ୟ ଏହା ସମ୍ବନ୍ଧରେ ଜନସାଧାରଣରେ କୌଣସି ସୂଚନା ନାହିଁ । କେବଳ କାଗଜ କଲମରେ ପ୍ରଚାର ପ୍ରସାର ଚାଲିଛି । ସ୍ଥାନୀୟ ସଂସ୍ଥାକୁ ଦାୟୀତ୍ବ ଦିଆ ନଯାଇ ତେଲିଆ ମୁଣ୍ଡରେ ତେଲ ସଦୃଶ୍ଯ ଖୋର୍ଦ୍ଧାର ବିଶ୍ବ ଜୀବନ ସେବା ସଙ୍ଘ ନାମକ ଏକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି । ଏଣୁ ଗରୀବ ନିରୀହ ବ୍ୟକ୍ତି ଏହାର ସୁବିଧା ରୁ ବଞ୍ଚିତ ହେଉଛନ୍ତି, ତେଣୁ ପ୍ରଶାସନିକ ଅଧିକାରୀମାନେ ଏହାପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Comments are closed.