ଆଜି ଯୋରନ୍ଦା ଯିବେ ମୁଖ୍ୟମନ୍ତ୍ରୀ, କରିବେ ବିକାଶର ଭିତ୍ତିସ୍ଥାପନ

ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାପୀଠ ପାଇଁ ଐତିହାସିକ ଦିନ। ସାକାର ହେବ ଦୀର୍ଘ ବର୍ଷର ସ୍ବପ୍ନ। ମହିମାଗାଦି ଚତୁଃପାର୍ଶ୍ବର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ଏବଂ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଯୋରନ୍ଦା ଯାଇ ମହିମା ଗାଦିର ରୂପାନ୍ତରଣ ପାଇଁ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ଯୋରନ୍ଦାରେ ପହଞ୍ଚିବା ନେଇ ସୂଚନା ରହିଛି। ସେଠାରେ ପହଞ୍ଚି ମହିମାଶୂନ୍ୟ ମନ୍ଦିର ପରିସରକୁ ଯାଇ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାପରେ ମହିମା ସାଧୁସନ୍ଥଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଯୋରନ୍ଦା ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାରପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରାୟ ୨୦ ହଜାର ସାଧୁସନ୍ଥଙ୍କ ସହ ୪୦ ହଜାରରୁ ଅଧିକ ଜନସାଧାରଣ ଉତ୍ସବରେ ଯୋଗଦାନ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୫ ପାଟୁନ ପୋଲିସ ପୋର୍ସ, ୨ ଜଣ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୧୯ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି।

Comments are closed.