ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ହାଡଭଙ୍ଗା ଶୀତ। ତା’ ସାଙ୍ଗକୁ କାଲୁଆ ପବନ ସାଧାରଣ ଜନତାଙ୍କୁ କଲବଲ କରୁଛି। କେନ୍ଦୁଝରରୁ ଆରମ୍ଭ କରି କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଭୁବନେଶ୍ୱର, କଟକ ପରି ସହର ଶୀତରେ ଥରୁଛି। ସକାଳ ହେଉ କି ସନ୍ଧ୍ୟା। କିମ୍ବା ରାତି ସମୟ। ବିନା ଶୀତ ବସ୍ତ୍ରରେ ଲୋକେ ଘରୁ ପଦାକୁ ବାହରିବା ମୁସ୍କିଲ ହୋଇପଡ଼ିଛି। ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତିର ପାରଦ ୧୫ ଡିଗ୍ରି ତଳକୁ ଖସି ଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ୧୬ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରହିଥିଲା।

ପାରଦ ଶୂନ ଡିଗ୍ରିକୁ ଖସିବା ସହ କେତେକ ସ୍ଥାନରେ ବରଫପାତ ହୋଇଥିବା ନଜରକୁ ଆସିଛି। ଅଭୟାରଣ୍ୟର ନଅଣାରେ ତାପମାତ୍ରା ୬, ଗୁଡୁଗୁଡ଼ିଆରେ ୭, ବରେ‌ହିପାଣିରେ ୯, ରାମତୀର୍ଥ ଓ କିଆଝରରେ ୧୧ ଡିଗ୍ରି ରହିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ଗଲା ୫ ଦିନ ଧରି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧ରୁ ୮ ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଗତକାଲି ରାତିରୁ ଆଜି ସକାଳ ୬ଟା ମଧ୍ୟରେ ଉପରବାରହାକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରି ରେକର୍ଡ କରିଛି ବନ ବିଭାଗ। ନଅଣା, ଗୁଡୁଗୁଡ଼ିଆ, ବରେହିପାଣି, କିଆଝରି ଓ ରାମତୀର୍ଥରେ ତୁଷାରପାତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର କେତେ ସ୍ଥାନରେ ବରଫ ଆସ୍ତରଣ ଜମୁଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରିକୁ ଖସିଛି। ସେହିପରି କେରାପୁଟ ଜିଲ୍ଲା ସେମିଳିଗୁଡାରେ ୫.୭ ଡିଗ୍ରି ରହିଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୬.୫, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୬.୬, କୋରାପୁଟରେ ୭.୬, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୮, ରାଉରକେଲାରେ ୮.୩, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୮.୬, ଭବାନୀପାଟଣା, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୯, ଭଦ୍ରକର ରାଣୀତାଲରେ ୯.୧, ସୋନପୁରରେ ୯.୭ ଓ ବଲାଙ୍ଗୀରଠାରେ ୧୦ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୨.୪ ଓ ୧୨.୮ ଡିଗ୍ରି ରେକର୍ଡ କରାଯାଇଛି।

Comments are closed.