ନୀତିଶଙ୍କୁ କାହିଁକି ଫୋନ କରିଥିଲେ ରାହୁଲ, ଜାଣନ୍ତୁ କାରଣ

ବିଜେପି ସହ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଥିବା ବିରୋଧ ମେଣ୍ଟ ଇଣ୍ଡିଆରେ ସବୁ କିଛି ଠିକ ଠାକ ଚାଲି ନାହିଁ। ନିକଟରେ ମେଣ୍ଟର ୪ର୍ଥ ବୈଠକରେ ବିଭିନ୍ନ ଦଳର ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଖବର ମିଳିଥିଲା। ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଠକରେ ଡିଏମକେ ସଦସ୍ୟଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଥିଲେ। ନୀତୀଶ କୁମାର ଖପ୍ପା ହୋଇଥିବାରୁ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ନଥିଲେ।

ନୀତୀଶ ରାଗି ଥିବାରୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଗୁରୁବାର ସନ୍ଧ୍ୟାରେ ରାହୁଲ ଗାନ୍ଧି ଫୋନ କରି ବେଶ କିଛି ସମୟ ନୀତୀଶ କୁମାରଙ୍କ ସହ କଥା ହୋଇଛନ୍ତି। ତେବେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। କିନ୍ତୁ କୁହାଯାଉଛି ଯେ ବୁଧବାର ବୈଠକରେ ହୋଇଥିବା ତିକ୍ତତା ସମ୍ପର୍କରେ ଉଭୟ କଥାବାର୍ତ୍ତା ହୋଇଛନ୍ତି।

ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ଗଠନ ପଛରେ ଥିବା ବେଳେ ତାଙ୍କ ନାଁକୁ ଆବାହକ କିମ୍ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଚାରକୁ ନିଆଯାଇ ନାହିଁ। ବୁଧବାର ବୈଠକରେ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ଖୋଲାଖୋଲି ଭାବେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଂଗ୍ରେସ ବସ୍‌ ମଲ୍ଲିକାର୍ଜୁନ ଖଡଗେ ହେବା ଦରକାର ବୋଲି କହିଥିଲେ। ଅବଶ୍ୟ ଏହାକୁ ଖଡଗେ ବିନମ୍ରତାର ସହ ଅଗ୍ରାହ୍ୟ କରି ଦେଇଛନ୍ତି। ତଥାପି ବୈଠକରେ ଖଡଗେଙ୍କ ସପକ୍ଷରେ ଆସିଥିବା ପ୍ରସ୍ତାବ ନୀତୀଶଙ୍କୁ ବ୍ୟଥିତ କରିଛି।

Comments are closed.