ନବରଙ୍ଗପୁର : ଗଞ୍ଜେଇ ମାଫିଆଙ୍କ ସମସ୍ତ ସମ୍ପତ୍ତି ସିଲ କଲା ପୋଲିସ

ନବରଙ୍ଗପୁର, ସନ୍ତୋଷ ଷଡଙ୍ଗୀ : କୋଷାଗୁମୁଡା ଥାନା ଅନ୍ତର୍ଗତ ପାନରଗୁଡାର ପ୍ରଭାକର ମାଳି, ଅନିରୁଦ୍ଧ ମାଳି ଓ ରମେଶ ମାଳିଙ୍କ ଘରୁ ପ୍ରାୟ ୪କୋଟି ୭୭ ଲକ୍ଷ ଟଙ୍କାର ବେନିୟମ ସମ୍ପତ୍ତି ଓ ପ୍ରାୟ ୪କୋଟି ୫୯ଲକ୍ଷ କାରବାର ଟଙ୍କା ଜବତ କରାଯାଇଛି। ଏହି ଅଭିଯୁକ୍ତ ମାନେ ଗଞ୍ଜେଇ କାରବାରର ମୁଖ୍ୟ କାର୍ପଟଦାର ହୋଇଥିବାବେଳେ ଓଡିଶା ସମେତ ଛତିଶଗଡ,ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ଗଞ୍ଜେଇ ନିଶା ଚୋରା କାରବାର ନେଟ୍‍ୱାର୍କର ପଛରେ ରହି ପରିଚାଳନା କରୁଥିଲେ । କୋଷାଗୁମୁଡା ଥାନାରେ ଏମାନଙ୍କର ନାମରେ ଗଞ୍ଜେଇ ଚୋରା କାରବାର ମାମଲା ରହିଛି । ଏହି ଅଭିଯୁକ୍ତ ମାନଙ୍କର ୩ବର୍ଷ ମଧ୍ୟରେ ନିର୍ମିତ ୪ଟି ଦୁଇ ମହଲା ପକ୍କାଘର ସହ ୪ଏକର ଜମି ଜବତ କରାଯାଇଥିବାବେଳେ ଗୋଟିଏ ବୁଲେଟ, ଗୋଟିଏ ସ୍କୁଟି, ଗୋଟିଏ ମାରୁତି ଏର୍ଟିଗା କାର ଓ ଦୁଇଟି ଟ୍ରାକ୍ଟର ସହିତ ଟ୍ରଲି ଜବତ କରାଯାଇଛି । ଏହା ସହିତ ୯ଲକ୍ଷ ୭୬,୩୦୯ ଟଙ୍କାର ଚଳନ୍ତି ସମ୍ପତ୍ତି ମଧ୍ୟ ଜବତ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ଥିବା ୧୪ଟି ଆକାଉଣ୍ଟ ମାଧ୍ୟମରେ ମୋଟ ୪କୋଟି ୫୯ ଲକ୍ଷ ୬୮ହଜାର ୨୮୯ ଟଙ୍କା କାରବାର କରାଯାଇଥିବା ବେଳେ ସବୁ ଆକାଉଣ୍ଟ ଜବତ କରାଯାଇଛି। ନବରଙ୍ଗପୁର ଏସ୍ପି ନୀତିନ କୁଶଲକରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା, ଡିଏସପି ଚନ୍ଦ୍ର ଶେଖର ହୋତା, ଏସଡିପିଓ ଆଦିତ୍ୟ ସେନ ଓ ଇନ୍ସପେକ୍ଟର ନଟବର ନନ୍ଦ ସମେତ ପୁଲିସ ଫୋର୍ସ ଏହି ଚଢାଉରେ ଭାଗ ନେଇଥିଲେ। ତେବେ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଭାକର ପୂର୍ବରୁ ଏକ କେସ୍‌ରେ ଜେଲ୍‌ରେ ରହିଥିବା ବେଳେ ରମେଶ ମାଳି ଗିରଫ ପରେ ଅସୁସ୍ଥ ହୋଇଥିବାରୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ତେବେ ଅନିରୁଦ୍ଧ ମାଳି ବର୍ତ୍ତମାନ ସମୟରେ ଫେରାର ରହିଥିବାରୁ ତାକୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ଶ୍ରୀକୁଶଲକର କହିଛନ୍ତି।

 

Comments are closed.