ସରପଞ୍ଚକୁ ମାଡ ମାରିବାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ରୋକ ଏବଂ ଥାନା ଘେରାଉ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ପୁଣି ଚର୍ଚ୍ଚାରେ କେନ୍ଦୁଝର ପୋଲିସ । ଲୋକଙ୍କୁ ମାଡ଼ ମାରିବା ଆଦତ ଏବେ କେନ୍ଦୁଝର ପୋଲିସର ନିତିଦିନିଆ ରୁଟିନ ହୋଇଗଲାଣି। କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କୁ ଉଲଦ୍ନ କରି ଲାଠି ପାହାର ଦେଇ ନିଲମ୍ବିତ ହୋଇଥିଲେ ରାମ ଚନ୍ଦ୍ରପୁର ଥାନାର ଏସଆଇ ବିଶ୍ଵଜିତ ବେହେରା । ଅନ୍ୟପଟେ ଥାନା ଭିତରେ ଜଣେ ଯୁବକଙ୍କୁ ମାଡ ମାରି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିଲେ । ଏମିତି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୋଉଳା ଫାଣ୍ଡିରେ । ସୂଚାନୁସାରେ ବୋଉଳା ଫାଣ୍ଡି ଅଧୀନରେ ଥିବା ବାଙ୍ଗର ଅସ୍ଥାୟୀ ସଂଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ଓଡ଼ିଆ ରାତିରେ ପାଚେରି ଡେଇଁ ଫେରାର ହୋଇଯାଇଥିବା ଜାଣି ବାଙ୍ଗର ସରପଞ୍ଚ ସୁପ୍ରଭା ରାଉତ ବୋଉଳା ଫାଣ୍ଡିରେ ଏଫେଆର ଦେବାପାଇଁ ଯାଇଥିଲେ । ଫାଣ୍ଡିକୁ ଯାଇଥିବା ବେଳେ ଶୋଷ ଥାନା ଆଇଆଇସି ଗଗନ ନାୟକ ଏବଂ ଘସିପୁରା ଏସଆଇ ବିଶ୍ୱଜିତ ବେହେରା ସରପଞ୍ଚଙ୍କୁ ଖରାପ ବ୍ୟବହାର କରିବା ସହିତ ସରପଞ୍ଚଙ୍କ ହାତକୁ ମୋଡିଦେଇଥିବା ସରପଞ୍ଚ ଅଭିଯୋଗ କରିଥିଲେ । ଘଟଣାରେ ଉତ୍ତେଜିତ ହୋଇ ୫୦୦ ରୁ ଅଧିକ ଗ୍ରାମବାସୀ ରାସ୍ତା ରୋକ କରିବା ସହିତ ଥାନା ଘେରାଉ କରିଥିଲେ । ତାଙ୍କ ସହିତ ବିଜେପିର କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆଲୋକ ସେଠି, ଅନନ୍ତ ନାୟକ, ଟୁକୁନା ମହାନ୍ତ ଆନ୍ଦୋଳନକୁ ଜାରି ରଖିଥିଲେ । ଖବର ପାଇ ଘଟଣା ସ୍ଥଳରେ ଆନନ୍ଦପୁର ଏସଡ଼ିପିଓ ବିଦୂତ ପଣ୍ଡା ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଜା କରିଥିଲେ ।

Comments are closed.