ପଙ୍ଗପାଳ ଭଳି ଦେଖାଯାଉଥିବା କିଟକୁ ନେଇ ଚାଷୀ ଆତଙ୍କିତ

ନବରଙ୍ଗପୁର, ସନ୍ତୋଷ କୁମାର ଶତପଥୀ : ଜିଲ୍ଲା ଚାଷୀଙ୍କୁ ପଙ୍ଗପାଳ ଭୟ । ମନରେ ଛନକା ଆଖିରେ ଆତଙ୍କ । ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳ ସିଂସାରି ପଞ୍ଚାୟତର ଦନ୍ଧିବେଢ଼ା ଓ ଅନ୍ୟ କିଛି ଗ୍ରାମରେ ଗଛ ମାନଙ୍କରେ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ବୃକ୍ଷରେ ବସି ତା ପତ୍ର ଠାରୁ ଆରମ୍ଭ କରି ସମସ୍ତ ଫସଲ ଖାଇଦେଉଛନ୍ତି । ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ଓଡ଼ିଶାରେ ସମ୍ଭାବ୍ୟ ପଙ୍ଗପାଳ ପ୍ରବେଶକୁ ନେଇ ସତର୍କ ସୂଚନା ଜାରି ହେବାପରେ ଚାଷୀ ମନରେ ଛନକା ପଶିଥିବା ବେଳେ ଠିକ ଏହି ସମୟରେ ଗଛ ମାନଙ୍କରେ ପଙ୍ଗପାଳ ଭଳି ଦେଖାଦେଉଥିବା କୀଟକୁ ଦେଖି ଏହା ହିଁ ପଙ୍ଗପାଳ ବୋଲି ଚାଷୀଙ୍କ ମନରେ ଭୟ ସଂଚାର ସୃଷ୍ଟି ହୋଇଛି । ସେହିପରି ପୋଡ଼ଶୀ କିଛି ରାଜ୍ୟରେ ପଙ୍ଗପାଳ ଆତଙ୍କ ଦେଖାଦେଇଥିବାରୁ ଚାଷୀ ଆତଙ୍କିତ ହୋଇ ପଡି ପଙ୍ଗପାଳ ଦାଉରୁ କିଭଳି ନିଜ ଫସଲକୁ ସୁରକ୍ଷିତ ରଖିବେ ତାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ସେପଟେ ଏ ସମ୍ବନ୍ଧରେ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ସେ ଏଥିରେ ଚାଷୀକୂଳଙ୍କୁ ଆତଙ୍କିତ ନହେବାକୁ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପଙ୍ଗପାଳ ପ୍ରବେଶ କରିନଥିବା ଏବଂ ଏହା ଝିଣ୍ଟିକା ବୋଲି କହିଛନ୍ତି । ଏଥିପାଇଁ ଆମେ ପ୍ରସ୍ତୁତ, ଏଣୁ ଚାଷୀଭାଇ ମାନେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପ୍ରକାଶ କରିଛନ୍ତି ।

Comments are closed.