ଝିଅକୁ କପି ଯୋଗାଉଥିବା ବେଳେ ବହେ ଛେଚା ଖାଇଲେ ଅବିଭାବକ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ପରୀକ୍ଷା ଚାଲିଥିବା ସମୟରେ ଅଘଟଣ । ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବିରିବୁଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଗଡ଼ପଳାଶୁଣି ବାପୁଜୀ ପିଦ୍ୟାପୀଠରେ ଝିଅକୁ କପି ଦେଲା ସମୟରେ ଜଣେ ଅଭିଭାବକ ପୋଲିସ ମାଡରେ ଘାଇଲା ହୋଇଥିବା ଜଣାପଡିଛି । ବିରିବୁଲେଇ ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୪ଟି ବିଦ୍ୟାଳୟ ର ପରୀକ୍ଷାର୍ଥୀ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ କପି ଦେବାକୁ କେନ୍ଦ୍ର କରି ପ୍ରଥମେ ବିଦ୍ୟାଳୟର ପାଚେରୀକୁ ଭାଙ୍ଗି ଦେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହ ଦସ୍ତା ଧସ୍ତି ମଧ୍ୟ ହୋଇଥିଲେ । ଏ ନେଇ କିଛି ସମୟ ଧରି ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ଗଡପଳାଶୁଣି ବାପୁଜି ବିଦ୍ୟାପୀଠରେ ଝିଅକୁ କପି ଦେଉଥିବା ବେଳେ ଛାତ୍ରୀଙ୍କ ଅଭିଭାବକ ଜଣଙ୍କ ପୋଲିସ ହାବୁଡ଼ରେ ପଡି ବହେ ଛେଚା ଖାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ତାଳଚେର ମଣ୍ଡାପାଳ ସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଜଣଙ୍କ କଙ୍କଡ଼ାହାଡ଼ ବ୍ଲକ ପଥରଗଡ଼ ଗ୍ରାମର ଡମ୍ବୁରୁ ସାହୁ ବୋଲି ଜଣାପଡିଛି । ଏ ନେଇ ପରଜଙ୍ଗ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.