ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ହତ୍ୟା କରି ଆକ୍ରମଣକାରୀ ଡ୍ରାଇଭର ଗାଡି ସହ ଫେରାର
କୋଇଡା, ସୁନିଲ କୁମାର ପଣ୍ଡା : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ କାଲଟାରୁ ତୋଡା ମୁଖ୍ୟ ରାଜ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଜଣେ ଗାଡି ଚାଳକ ଅନ୍ୟ ଜଣେ ଗାଡି ଚାଳକକୁ ଜେକ୍ ରଡ଼ରେ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଯାଇଛି । ସୁଚନାରୁ ପ୍ରକାଶ ଯେ ସ୍ଥାନୀୟ କାଲଟା ଲୌହଖଣିର ଠିକା ସଂସ୍ଥା କେ•ସି•ସି• ଠାରେ ପାଣି ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟରତ ଥିଲେ ମାନପୁର କୁଆଖିଆ, ଯାଜପୁର ଗ୍ରାମର ଶିବ ପ୍ରସାଦ ପଣ୍ଡା(୩୦) । ସବୁଦିନ ପରି ସେ ଟ୍ୟାଙ୍କରରେ ପାଣି ଲୋଡ କରିବା ପାଇଁ ଯାଉଥିଲେ । ହେଲେ ତୋଡା- କାଲଟା ରାସ୍ତା ମଝିରେ ଏକ ହାଇୱା ଗାଡି ସହ ସାମ୍ନା ସାମନି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଶିବ ପ୍ରସାଦ ପଣ୍ଡା ନିଜ ଟ୍ୟାଙ୍କରୁ ଓଲ୍ହାଇ ହାଇୱା ଚାଳକକୁ ଗାଳିଗୁଲଜ କରିଥିଲେ । ଫଳରେ ହାଇୱା ଗାଡି ଚାଳକ ନିଜ ଗାଡିରୁ ଜ୍ୟାକ୍ ରଡ ବାହାର କରି ବହୁଥର ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାଳକ ପଣ୍ଡାକୁ କମ୍ପାନୀ କର୍ତ୍ତୃପକ୍ଷ ଏକ ଗାଡି ସାହାଯ୍ୟରେ ରାଉରକେଲା ସରକାରୀ ହସପିଟାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ କୋଇଡା ପୋଲିସ୍ ଖବର ପାଇ ବଣାଇଁ ଅତିରିକ୍ତ ଆରକ୍ଷୀ ମୁଜବିର ରେହେମାନଙ୍କ ସହ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତ ପଣ୍ଡାଙ୍କ ପରିବାର ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରିଥିଲେ। ହେଲେ ଘଟଣା ସ୍ଥଳରୁ ଫେରାର ହାଇୱା ଗାଡି ଓ ଚାଳକକୁ ଏବେବି ତଲାସ କରୁଛି କୋଇଡା ପୋଲିସ ।
Comments are closed.