ବଲାଙ୍ଗୀର : ଡାକ୍ତରଖାନାରେ ଦୀର୍ଘ ଦୁଇ ବର୍ଷ ହେଲା ନାହିଁ ଆମ୍ବୁଲାନ୍ସ ସେବା
ବଲାଙ୍ଗୀର, ରାଧେଶ୍ୟାମ ହାତୀ : ଡାକ୍ତରଖାନାରେ ଆମ୍ବୁଲାନ୍ସ ନାହିଁ କହିଲେ ନିଶ୍ଚିତ ରୂପେ ଲୋକମାନେ ଚିନ୍ତା କରିବେ ଏହା ଏକ ଅସମ୍ଭବ କଥା, କିନ୍ତୁ ଏହା ଏକ ନିରାଟ ସତ୍ୟ ଘଟଣା । ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ବିନା ଆମ୍ବୁଲାନ୍ସ ସେବାରେ ଦୀର୍ଘ ଦୁଇ ବର୍ଷ ହେବ ହନ୍ତସନ୍ତ ହେଉଛନ୍ତି ନିରୀହ ରୋଗୀ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିବାକୁ ମିଳିଅଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଡାକ୍ତରଖାନାରେ । ଲୋଇସିଂହା ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ହୋଇ ଥିଲେ ମଧ୍ୟ ଏଠିକାର ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିବା ଘଟଣା ଅଞ୍ଚଳର ଜନପ୍ରତିନିଧି ମାନଙ୍କ ଅପାରଗତାର ପରିଚୟ ପ୍ରଦାନ କରୁଛି । ଲୋଇସିଂହା ଡ଼ାକ୍ଟରଖାନାକୁ ପ୍ରତ୍ୟେକ ଦିନ ବଲାଙ୍ଗୀର, ବରଗଡ ଏବଂ ସୁବର୍ଣପୁର ଜିଲ୍ଲାର ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲେ ମଧ୍ୟ ପ୍ରଶାସନର ନୀରବତା ଯୋଗୁଁ ନିରୀହ ଲୋକ ହନ୍ତସନ୍ତ ହେଉଛନ୍ତି । ଗତ ୬ ତାରିଖ ଦିନ ଲୋଇସିଂହା ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ବଲାଙ୍ଗୀର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷ୍ୟlତ କରି ଲୋଇସିଂହା ଡାକ୍ତରଖାନାକୁ ଶୀଘ୍ର ଏକ ଆମ୍ବୁଲାନ୍ସ ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ଦେଇଥିବା ସୂଚନା ମିଳିଛି । ଏହି ଡାକ୍ତରଖାନାରେ ପୂର୍ବରୁ ଏକ ଆମ୍ବୁଲାନ୍ସ ଥିଲା, କିନ୍ତୁ ତାର ରକ୍ଷଣାବେକ୍ଷଣ ନହେବା ଯୋଗୁଁ କିଭଳି ଭାବରେ ଡାକ୍ତରଖାନାର ପଛ ପଟରେ ପଡି ରହିଛି ଦେଖନ୍ତୁ । ମାହେଶ୍ୱରୀ ସଂଗଠନର ସଭାପତି ଦେବାଶିଷ ବିଶୋଇ ଏହି ଡାକ୍ତରଖାନାକୁ ଶୀଘ୍ର ଏକ ଆମ୍ବୁଲାନ୍ସ ଦେବାପାଇଁ ଦାବି କରିଥିବାବେଳେ ସମାଜସେବୀ ଲାଲମନ ନାଗ ଆମ୍ବୁଲାନ୍ସ ନଥିବାଯୋଗୁଁ ବହୁତ ଅସୁବିଧାର ସମ୍ବୁଖିନ ହେଉଅଛୁ ବୋଲି ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଆମ ପ୍ରତିନିଧି ଲୋଇସିଂହା ଡାକ୍ତରଖାନାର ବିଭାଗୀୟ ଅଧିକାରୀ ଡ଼ .ପ୍ରତିମା ସୋରେନଙ୍କୁ ପଚାରିବାରୁ ମିଟିଙ୍ଗ ଅଛି ବୋଲି କହି ପ୍ରତିକ୍ରିୟା ଦେଇନଥିଲେ । ଏ ଦିଗରେ ସ୍ଥାନୀୟ ବିଧାୟକ ଡ଼.ମୁକେଶ ମହାଳିଙ୍ଗ ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।
Comments are closed.