ଖୋର୍ଦ୍ଧା ରୋଡ ଷ୍ଟେସନରୁ ରାଜ୍ୟ ବାହାରକୁ ହେଉଥିଲା ଗଂଜେଇ ଚାଲାଣ , ୨ମହିଳା ସମେତ ୪କୋର୍ଟ ଚାଲାଣ
ଜଟଣୀ(ସଞ୍ଜୀବ କୁମାର) : ଚୋରା ଗଂଜେଇର ଗଳାବାଟ ପାଲଟିଥିବା ଜଟଣୀର ଖୋର୍ଦ୍ଧା ରୋଡ ରେଳଷ୍ଟେସନରୁ ଆଜି ଖୋର୍ଦ୍ଧା ରୋଡ ପୁଲିସ ୨ ମହିଳା ସମେତ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୫ଲକ୍ଷ ଟଙ୍କାର ଚୋରା ଗଂଜେଇ ଜବତ କରିଥିବା ସୂୁଚନା ମିଳିଛି । ଏହି ଘଟଣା ଖୋର୍ଦ୍ଧାରୋଡ ଷ୍ଟେସନରୁ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରୁଥିବା ରେଳପଥ ପୁଲିସ ପକ୍ଷରୁ ସୂଚନା ମିଳିଛି । ସୁଚନାନୁସାରେ, ଖୋର୍ଦ୍ଧାରୋଡ ରେଳଷ୍ଟସନରେ ଗଂଜାମ ଜିଲା ଅଂଚଳର ୨ଜଣ ପୁରୁଷ ଏବଂ ଜଣେ ମହିଳା ମିଳିତଭାବେ ବ୍ୟାଗରେ ୪୩ କିଲୋ ୧୭୦ଗ୍ରାମ ଚୋରା ଗଂଜେଇ ନେଇ ଖୋର୍ଦ୍ଧାରୋଡ ଷ୍ଟେସନରୁ ରାୟପୁର ଯିବାଲାଗି ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନକୁ ପ୍ଲାଟଫର୍ମ ନଂ ୩ରେ ଅପେକ୍ଷା କରିଥିଲେ । ତେବେ ଚାଲାଣକାରୀ ମହିଳା ଓ ପୁରୁଷମାନେ ରେଳସୁରକ୍ଷାବଳ ଟିମକୁ ଦେଖି ଏଣେତେଣେ ପଳାଇଥିଲେ । ତେଣୁ ଏନେଇ ସୁରକ୍ଷାବଳ ଟିମର ସନ୍ଦେହଯାତ ହୋଇଥିଲା । ତେବେ ଏନେଇ ସେମାନଙ୍କୁ ଅଟକାଇ ଯାଂଚ କରିବାପରେ ସେମାନଙ୍କ ନିକଟରେ ରହିଥିବା ବ୍ୟାଗରୁ ଗଂଜେଇ ମିଳିଥିଲା । ଅଭିଯୁକ୍ତମାନଙ୍କଠାରୁ ଗଂଜେଇ ଜବତ କରାଯିବା ସହିତ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଖୋର୍ଦ୍ଧାରୋଡ ରେଳପଥ ଅଧିକାରୀ ଧରଣୀଧର ପ୍ରଧାନ କହିଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲା ଅଂଚଳର ଚନ୍ଦନ ୱାହୁ(୨୦), ଧରମା ପ୍ରଧାନ(୧୯) ଏବଂ ମହିଳା ଜଣଙ୍କ ହେଉଛନ୍ତି ସଂଯୁକ୍ତା ଦାସ(୪୨) ବୋଲି ପୁଲିସ କହିଛି । ସେହିପରି ଆଜି ନୟାଗଡ ଜିଲା ରଣପୁର ଅଂଚଳର ବିଦୁଲତା ପ୍ରଧାନ(୩୫) ନାମ୍ନି ଜଣେ ମହିଳା ନିଜଗ୍ରାମରୁ ବସଯୋଗେ ୭କିଲୋ ୧୦୦ଗ୍ରାମ ଗଂଜେଇ ନେଇ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଁଚିଥିଲେ । ପ୍ଲାଟଫର୍ମ ନଂ ୬ଓ ୭ ମଧ୍ୟବର୍ତି ଏକ ସ୍ଥାନରେ ପୁରୁଷୋତମ ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରି ବସିଥିଲେ । ଏହି ସମୟରେ ରେଳପଥ ପୁଲିସର ଯାଂଚ ସମୟରେ ଧରାପଡିଥିଲେ । ଜବତ ସମସ୍ତ ଗଂଜେଇର ମୂଲ୍ୟ ୫ଲକ୍ଷ ଟଙ୍କାହେବ ବୋଲି କୁହାଯାଇଛି । ଉକ୍ତ ଚୋରା ଗଂଜେଇକୁ ମାଫିଆମାନଙ୍କ ମଧ୍ୟସ୍ଥିରେ ରାଜ୍ୟ ବାହାରକୁ ଚାଲାଣ କରାଯାଇଥାଏ ବୋଲି ଗିରଫ ଅଭିଯୁକ୍ତମାନେ ସ୍ୱିକାର କରିଛନ୍ତି । ତେବେ ଏନେଇ ଆଜି ପୃଥକ ପୃଥକ ଦୁଇଟି ଏନଡିପିଏସ ମାମଲା ରୁଜୁ କରାଯାଇ ୨ଜଣ ପୁରୁଷ ଓ ୨ଜଣ ମହିଳା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଳପଥ ପୁଲିସ ଅଧିକାରୀ ଧରଣୀଧର ପ୍ରଧାନଙ୍କଠାରୁ ସୂଚନା ମିଳିଛି ।
Comments are closed.