ଯୋଗାଣ ସହାୟକଙ୍କ ନାଁ ରେ ଦୁଷ୍କର୍ମ ଅଭିଯୋଗ ପରେବି ପୋଲିସ ହାତ ଖାଲି
ବଲାଙ୍ଗୀର, ସଞ୍ଜୟ କୁମାର ମିଶ୍ର : ମୁରିବାହାଲ ଥାନା ଅର୍ନ୍ତଗତ ଚଲକି ପଞ୍ଚାୟତର ଯୋଗାଣ ସହାୟକ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାରେ ମାମଲା ରୁଜୁ ହେବାର ୨୦ ଦିନ ପରେ ବି ପୋଲିସର ହାତ ଖାଲି । ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଯୋଗାଣ ସହାୟକ ରୁଷୁ ବେନିଆ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ବର୍ତ୍ତମାନ ଆଠ ମାସର ଗର୍ଭବତୀ । ବର୍ତ୍ତମାନ ନାବାଳିକା ଜଣକ ସାବାଲିକା ହୋଇଥିବା ବେଲେ ରୁଷୁ କୁ ବାହା ହେବା ପାଇଁ ପରିବାର ଲୋକେ ଅନୂରୋଧ କରିଥିଲେ । କିନ୍ତୁ ନିଜେ ବିବାହିତ ହୋଇଥିବାରୁ ରୁଷୁ ବାହା ହେବା ପାଇଁ ମନା କରିଦେଇଥିଲେ । ତେଣୁ ଗତ ଜୁନ ୧୭ ତାରିଖରେ ଏ ନେଇ ଯୁବତୀଙ୍କ ପରିବାର ଲୋକେ ମୂରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୁରିବାହାଲ ଥାନାରେ ଅଭିଯୋଗ ନରଖିବାରୁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ ଯୁବତୀ ଜଣକ । ଏସପିଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ହୋଇଥିଲା । ଏ ସବୁ ଭିତରେ କିନ୍ତୁ ଫେରାର ମାରିଥିଲା ଯୋଗାଣ ସହାୟକ ରୁଷୁ ବେନିଆ । ରୁଷୁକୁ ଗିରଫ ଦାବୀରେ ମୁରିବାହାଲ ଥାନା ଘେରାଓ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ । ସରପଞ୍ଚ ରୁଷୁ ବେନିଆକୁ ଯୋଗାଣ ସହାୟକ ପଦବୀରୁ ନିଲମ୍ୱନ କରିଛନ୍ତି । କିନ୍ତୁ ମାମଲା ରୁଜୁ ହେବାର ୨୦ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି । ତେଣୁ ପୁଣି ଥରେ ପୀଡିତା ନାବାଳିକା ପରିବାର ସହିତ ବଲାଙ୍ଗୀର ଏସ.ପି ଅଫିସକୁ ଆସି ଶୀଘ୍ର ରୁଷୁକୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ।
Comments are closed.