ଘରର ପତାକା ନାରୀ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ସାରା ଦେଶ ପାଳିଛି ଅମୃତ ମହୋତ୍ସବ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧରେ ଦେଶର ପ୍ରତି ଘରେ ଜାତୀୟ ପତାକା ଉଡ଼ିବାର ପରମ୍ପରା ଆରମ୍ଭ ହୋଇଥିଲା । ଏହି ‘ହର ଘର ତ୍ରିରଙ୍ଗା’ ଅଭିଯାନରୁ ଗୋଟିଏ ଉକ୍ତି ସାମନାକୁ ଆସୁଛି ନାରୀ ହେଉଛି ଘରର ପତାକା ।
କହିବା ଅନୁଯାୟୀ, ‘ମୁଁ ଘର ବା ପରିବାରର ମସ୍ତକ । ମୁଁ ବାକପଟୁ । ମୁଁ ବିରୋଧୀମାନଙ୍କ ୁପରେ ବିଜୟିନୀ ହୁଏ ଏବଂ ମୋର ସୁପରାମର୍ଶ ଅନୁସାରେ ମୋର ପତି ପରିଚାଳିତ ହୁଅନ୍ତି ।’ ବେଦବିଦୁଷୀ ଶନ୍ନୋ ଦେବୀ ତାଙ୍କ ‘ବେଦରେ ନାରୀ ପୁସ୍ତକରେ ଏହାର ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି- ଜାତୀୟ ପତାକା ଆକାଶରେ ଉତ୍ତୋଳିତ ହୋଇ ଜାତିର ଅସ୍ତିତ୍ୱ ଓ ଗୌରବର ପରିଚୟ ଦିଏ । ରାଷ୍ଟ୍ରବାସୀ ତାକୁ ଦେଖି ଗୌରବାନ୍ୱିତ ମନେକରନ୍ତି ।
ନାରୀ ବେଦ ମନ୍ତ୍ରରେ କହେ- ମୁଁ କୁଟୁମ୍ବର ପତାକା । ମୁଁ ରାଷ୍ଟ୍ରଧ୍ୱଜ ପରି ଗୃହର ସମ୍ମାନ ବୃଦ୍ଧି କରେ । ମୁଁ ପରିବାରର ମସ୍ତକ ତୁଲ୍ୟ । ମୋର ବିଚାର ଓ ବ୍ୟବହାରରୁ ଆମ କୁଟୁମ୍ବର ପରିଚୟ ମିଳେ । ମୋର ପତି ଓ ସନ୍ତାନମାନେ ମୋ’ଠାରୁ ଉତ୍ସାହପ୍ରଦ ପ୍ରେରଣା ଲାଭ କରି ନିଜ ନିଜର କର୍ତ୍ତବ୍ୟପଥରେ ଅଗ୍ରସର ହୁଅନ୍ତି । ମସ୍ତକ ଯେପରି ଶରୀରକୁ ନିୟନ୍ତ୍ରଣ କରେ, ମୁଁ ସେହିପରି ପରିବାରର ସମସ୍ତ କାର୍ଯ୍ୟର ସୁପରିଚାଳନା କରେ । ମୋର ସ୍ୱଭାବ ହେଉଛି ନିର୍ଭୀକ ଭାବରେ ସତ୍ୟବଚନ କହିବା । ପୁଣି ସତ୍ୟକୁ ମିଷ୍ଟଭାଷାରେ ପ୍ରତିପାଦନ କରିବା ମୋର ଦକ୍ଷତା । ମୁଁ ପାପ ପ୍ରତି କଠୋର ଓ ପୁଣ୍ୟ ପ୍ରତି ସଦୟ । ଗୃହର ଆପଦ-ବିପଦ ସମୟରେ ମୋର ସାହସପୂର୍ଣ୍ଣ ବାଣୀ ଗୃହକୁ ସୁରକ୍ଷିତ ରଖେ । ମୋର ପତି ସର୍ବଦା ମୋର ସତ୍ ପରାମର୍ଶ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି ।
ଏହା ସୂଚାଏ, ଯେ ପ୍ରତି ପରିବାରରେ ନାରୀ ଯଦି ନିଜର ଏହି ମହତ୍ତ୍ୱ ବୁଝିପାରିବେ, ତେବେ ପ୍ରତି ଘରେ ସେ ହିଁ ହେବେ ଜାତୀୟ ପତାକା । ସେହି ପତାକା, ଦିନେ ନୁହେଁ କି ଦି’ଦିନ ନୁହେଁ; ସାରାବର୍ଷର ସବୁଦିନ ଉଡ଼ୁଥାଏ ।
Comments are closed.