ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ କଂଗ୍ରେସର ନିନ୍ଦା ଓ ବିଚାର ବିଭାଗୀୟ ତଦନ୍ତ ଦାବି

ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏ ସଂପର୍କରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଡା. ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ ଢ଼ିଙ୍କିଆ ଚାରିଦେଶ ତଥା ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ପଂଚାୟତ ଏକ ଭାଇଚାରାର ଅଂଚଳ । ଏଠାକାର ଜନସାଧାରଣ ଧାନ, ପାନ ଓ ମୀନ ଉପରେ ସଂପୂର୍ଣ୍ଣ ଜୀବିକା ନିର୍ଭର କରି ଦୀର୍ଘବର୍ଷ ଧରି ଚଳିଆସୁଛନ୍ତି । ଗତ ୨୦୦୫ ମସିହାରେ ରାଜ୍ୟ ସରକାର ଏଠାରେ ପୋସ୍କୋ କମ୍ପାନୀକୁ ପ୍ରତିଷ୍ଠା ନିମନ୍ତେ ନିଷ୍ପତି ନେଇଥିଲେ, କିନ୍ତୁ ପ୍ରବଳ ଜନବିରୋଧ ଯୋଗୁଁ ୨୦୧୩ ମସିିହାରେ ଏହି କମ୍ପାନୀ ଫେରିଯିବା ପାଇଁ ବାଧ୍ୟ ହୋଇଥିଲା । ପୁନଶ୍ଚ ରାଜ୍ୟ ସରକାର ୨୦୧୯ ମସିହାରେ ଜିନ୍ଦଲ କମ୍ପାନୀକୁ ଏଠାରେ ପ୍ରତିଷ୍ଠା ନିମନ୍ତେ ନିଷ୍ପତି ନେବାଫଳରେ ପୁରୁଷ ପୁରୁଷ ଧରି ବସବାସ କରିଆସୁଥିବା ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଜୀବିକା ସଂପୂର୍ଣ୍ଣ ଭୂଷୁଡ଼ି ଯିବାକୁ ବସିଛି । ଏହି କମ୍ପାନୀ ପ୍ରତିଷ୍ଠାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କ ଉପରେ ଆଜି ପୋଲିସର ବର୍ବରୋଚିତ ଆକ୍ରମଣ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୂର୍ଣ୍ଣ କରିଛି । ସରକାର ଜନସାଧାରଣଙ୍କର ଆପତି ଅଭିଯୋଗର ସମାଧାନ ନକରି ଯୋରଜବରଦସ୍ତ ଭାବେ ସେମାନଙ୍କର ଜମିକୁ ଅଧିକାର କରି କମ୍ପାନୀ ହାତକୁ କ’ଣ ପାଇଁ ଟେକି ଦେବାର ନିଷ୍ପତି ନେଇଛନ୍ତି ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଡ. ମହାପାତ୍ର ପ୍ରକାଶ କରିଛନ୍ତି । ଏପରିକି ପୋଲିସର ଏହି ଆକ୍ରମଣରୁ ମହିଳା ଓ ଶିଶୁମାନେ ମଧ୍ୟ ବାଦ ପଡ଼ିନାହାନ୍ତି । ଲାଠି ମାଡ଼ରେ ଲହୁଲୁହାଣ ହୋଇଥିବା ଗ୍ରାମବାସୀଙ୍କୁ ଚିକିତ୍ସା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଦୀର୍ଘ ୧୩ ଦିନ ହେଲା ପୋଲିସର ଘେରାବନ୍ଦିରେ ଥିବା ଢ଼ିଙ୍କିଆର ଗ୍ରାମବାସୀମାନେ ଆଜି ପୋଲିସର ଲାଠିମାଡ଼ରେ ଗାଁ ଦାଣ୍ଡରେ ପଡ଼ି ଛଟପଟ ହେଉଛନ୍ତି ।
ନିରସ୍ତ୍ର ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନଥାଇ ପୋଲିସ କାହା ଇଙ୍ଗିତରେ ଏବଂ କ’ଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ଏପରି ରକ୍ତାକ୍ତ ଆକ୍ରମଣ କଲେ ତା’ର ବିଚାରବିଭାଗୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ନିଜର ପରିବାର ବୋଲି ସର୍ବଦା ପ୍ରଚାର ଓ ପ୍ରସାର କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଢ଼ିଙ୍କିଆର ଗ୍ରାମବାସୀମାନେ ସେହି ପରିବାରର ଲୋକ ନୁହନ୍ତି କି ବୋଲି ଡା. ମହାପାତ୍ର ପ୍ରଶ୍ନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁସାରେ ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ୬୦ ବର୍ଷରୁ ଅଧିକ ସମୟ ବସବାସ କରୁଥିଲେ ସେ ଉକ୍ତ ଜମିର ମାଲିକାନା ପାଇବାର ବ୍ୟବସ୍ଥା ଥିବା ବେଳେ ଏଠାରେ ଦୀର୍ଘ ୨୦୦ ବର୍ଷ ଧରି ଗୋଟିଏ ସ୍ଥାନରେ ବସବାସ କରୁଥିବା ଅଧିବାସୀ ମାନଙ୍କୁ ସରକାର କିପରି ଉଚ୍ଛେଦ କରୁଛନ୍ତି ବୋଲି ଡା. ମହାପାତ୍ର ପ୍ରଶ୍ନ କରିଛନ୍ତି । ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର ଅଧିବାସୀଙ୍କୁ ନିଜର ପରିବାର ଭାବି ସେଠାରେ କମ୍ପାନୀ ପ୍ରତିଷ୍ଠା ନକରି ତାଙ୍କର ଜୀବନ ଜୀବିକାର ସୁରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ଶ୍ରୀ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

Comments are closed.