୨ ଦିନିଆ ରିମାଣ୍ଡରେ ବିବନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗୁରୁବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି । ୨ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ସିବିଆଇ ସମ୍ମୁଖରେ ୨୨ ବର୍ଷ ତଳର ସେହି ଜଘନ୍ୟ କାଣ୍ଡର ସତ ଓଗାଳିବ ବିବନ୍ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସିବିଆଇ ଜେରା ଆରମ୍ଭ କରିଥିବା ଜଣାପଡ଼ିଛି ।

ସିବିଆଇର ପାଞ୍ଚ ଜଣିଆ ଟିମ୍ ବିବନକୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଗାଡ଼ି ଯୋଗେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲେ । ସେଠାରେ ବିବନର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାପରେ ସିଧାସଳଖ ତାକୁ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ତାକୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ ।

Comments are closed.