ଦିଲ୍ଲୀରେ ଚାଷୀ ହିଂସାକୁ ଦେଖି କ’ଣ କହିଲା ବିଜେଡି?

ଭୁବନେଶ୍ୱର,୨୭ ।୧: ନୂଆ କୃଷି ଆଇନ ବିରୋଧରେ ଗତକାଲି ଚାଷୀ ସଙ୍ଗଠନ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ଫଳରେ ଦିଲ୍ଲୀରେ ହିଂସାକାଣ୍ଡ ଘଟିଥିଲା । ଏହାକୁ ନେଇ ସବୁ ବର୍ଗରେ ନିନ୍ଦା କରାଯାଉଥିବା ବେଳେ ପ୍ରତିକିୟା ରଖିଛି ବିଜେଡି । ବିଜେଡି ବିଧାୟକ ଅମର ଶତପଥୀ କହିଚନ୍ତି ଯେ, ‘ ଚାଷୀଙ୍କ ସମସ୍ୟାକୁ ନେଇ ପଛଘୁଞ୍ଚା ଦେବା ପ୍ରଶ୍ନ ଉଠୁନାହିଁ । ଏନେଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଂସଦଙ୍କୁ ସ୍ପଷ୍ଟ କହିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ବ୍ୟବସ୍ଥା ହେବା ଦରକାର । ଗତକାଲି ଏକ ବିଶେଷ ଦିନ ଥିଲା, ଯାହା ଘଟିଲା ତାହା ଠିକ ହୋଇନାହିଁ ।

ଅନ୍ୟପଟେ ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଗତକାଲି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯିବନି । ସ୍ୱାମୀନାଥନ କମିଟି ସୁପାରିଶ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣ ହେଉ । ଏନେଇ ବିଜେଡି ଆଗରୁ ମଧ୍ୟ କହିଆସିଛି ।’

ତେବେ ହିଂସାକାଣ୍ଡକୁ ଭିତ୍ତି କରି ଦିଲ୍ଲୀର ବିଭିନ୍ନ ଥାନାରେ ପ୍ରାୟ ୨୨ଟି ମାମଲା ରୁଜୁ ହୋଇଛି । ପଞ୍ଜାବ ଓ ହରିୟାଣାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ ବନ୍ଦ ହୋଇଛି । ଜମା ମସଜିଦ୍ ମେଟ୍ରୋ ଷ୍ଟେସନର ପ୍ରବେଶ ଗେଟକୁ ମଧ୍ୟ ବନ୍ଦ କରାଯାଇଛି । ଦିଲ୍ଲୀ ଏନସିଆର ଓ ହରିଆଣାର ୩ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

Comments are closed.