କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ପଡିବ ଭାରି..ସରକାର ଜାରି କଲେ ଏହି ନୂଆ ଆଇନ

କରୋନା ଏବେ ସମଗ୍ର ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାଠୁ ଅଧିକ ଚିନ୍ତାର କାରଣ ହେଉଛି କରୋନା ପାଇଁ ଲଢେଇ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ । ଲକ ଡାଉନ ଆରମ୍ଭ ହେବା ପର ଠାରୁ ଦେଶର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହାକୁ ନେଇ ସରକାର ଗମ୍ଭୀର ଭାବରେ ଚିନ୍ତା କରି ଏକ ଅଧ୍ୟାଦେଶ ଜାରି କରିଛନ୍ତି । ୧୨୩ ବର୍ଷ ପୂର୍ବ ମହାମାରୀ ରୋଗ ଆଇନ ୧୮୯୭ (THE EPIDEMIC DISEASES ACT, 1897) ରେ ପରିବର୍ତନ କରି ଏହି ଅଧ୍ୟାଦେଶ ଜାରି କରାଯାଇଛି । ଏହି ଅଧ୍ୟାଦେଶ ଅନୁଯାୟୀ କରୋନା ପାଇଁ ଲଢେଇ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ କିମ୍ବା ନିର୍ଯ୍ୟାତନା କରାଗଲେ ଦୋଷୀକୁ 3 ମାସରୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହା ସହ ୫୦,୦୦୦ ରୁ ନେଇ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଅତି ଗମ୍ଭୀର ସ୍ଥିତି ରେ ୬ ମାସରୁ ନେଇ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହିତ ୧ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଘଟଣା ଘଟିବାର ଏକ ମାସ ମଧ୍ୟରେ ସିନିଅର ଲେବଲ ପୋଲିସ କର୍ମୀ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ସରିବା ସହ ଏକ ବର୍ଷ ମଧ୍ୟରେ ଫଇସଲା ହେବ। ଏହା ସହ ଅଭିଯୁକ୍ତକୁ ଜାମିନ ମଧ୍ୟ ମିଳିପାରିବ ନାହିଁ । ଅନ୍ୟକ୍ଷେତ୍ରରେ ଯଦି ସ୍ୱାସ୍ଥ୍ୟ କର୍ମୀଙ୍କ ଗାଡି କିମ୍ବା କ୍ଲିନିକକୁ ଭଙ୍ଗାରୁଜା କରାଯାଏ, ତେବେ ନଷ୍ଟ ସାମଗ୍ରୀର ଦୁଇଗୁଣ ଜରିମାନା ଅଭିଯୁକ୍ତଙ୍କ ଠାରୁ ଆଦାୟ କରାଯିବ। ଏହି ଅଧ୍ୟାଦେଶ ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରଠାରୁ କାର୍ଯ୍ୟକାରୀ କରାଯିବାର ନିଷ୍ପତି ନିଆଯାଇଛି । ଅନ୍ୟପଟେ ନିଜ ଜୀବନକୁ ବାଜି ଲଗାଇ କରୋନା ସହ ଲଢେଇ କରୁଥିବା ଯୋଧ୍ୟାଙ୍କ ପାଇଁ ସରକାର ୫୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ସେମାନେ ନିଶ୍ଚିନ୍ତରେ ନିଜର କର୍ତ୍ତବ୍ୟ ପାଳନ କରିପାରିବେ । ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Comments are closed.