ବିଧାନସଭାରେ ପାରିତ ଏହି ସବୁ ବିଲ୍

ଭୁବନେଶ୍ବର: ଆଜି ବିଧାନସଭାରେ ୬ଟି ବିଲ୍‌ ପାରିତ ହୋଇଛି। ସେଗୁଡ଼ିକ ହେଲା ଓଡ଼ିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଧେୟକ-୨୦୨୩, ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଧେୟକ-୨୦୨୩, ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ-୨୦୨୩, ଓଡ଼ିଶା ସଂରକ୍ଷଣରେ ଖାଲି ଥିବା ପଦବି ଏବଂ ସେବାରେ (ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ) ଅଧିନିୟମ, ସଂଶୋଧନ ଅଧିନିୟମ-୨୦୨୩, ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ (ସଂଶୋଧନ) ବିଧେୟକ-୨୦୨୩, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ବଚ୍ଛତା (ଓଡ଼ିଶା ସ‌ଂଶୋଧନ) ବିଧେୟକ ୨୦୨୩।

ବିଭାଗୀୟ ମନ୍ତ୍ରୀମାନେ ଏହି ବିଲ୍‌ ଉପସ୍ଥାପନ କରିବାବେଳେ ଏହା ଉପରେ ଆଲୋଚନା ନହେବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ଆମକୁ ବିଲ୍‌ ଉପରେ ଆଲୋଚନା ପାଇଁ କାହିଁକି ଡକାଯାଉନି? ବିଧାନସଭାରେ ଏଭଳି କେବେ ହୋଇନଥିଲା। ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ ଯେ ‌ଆପଣମାନେ କେହି ଆଲୋଚନା କରିବା ପାଇଁ ହାତ ଟେକିନଥିଲେ। ତେଣୁ ମୁଁ ଡାକିନି। ଯାହାର କହିବାର ଅଛି ସେମାନେ ବିଲ୍‌ ପାରିତ ହେଲାବେଳେ ଆଲୋଚନାରେ ଭାଗ ନେବେ। ଏହାକୁ ପ୍ରତିବାଦ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। କିଛି ସମୟ ପରେ ବାଚସ୍ପତି କଂଗ୍ରେସ ବିଧାୟକମାନଙ୍କୁ ମନାଇବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ପଠାଇଥିଲେ। ହେଲେ କଂଗ୍ରେସ ବିଧାୟକମାନେ ଗୃହକୁ ଫେରି ନଥିଲେ।

ଅପରପକ୍ଷେ ବିଲ୍‌ ଉପସ୍ଥାପନ ହେବା ସମୟରେ ଆଲୋଚନା ନହେବାରୁ ବିଜେପି ବିଧାୟକମାନେ ମଧ୍ୟ ନିଜ ଆସନରେ ଛିଡ଼ା ହୋଇ ବିରୋଧ କରିଥିଲେ। କିନ୍ତୁ ବିଲ୍ ପାରିତ ହେବାବେଳେ କହିବାକୁ ସୁଯୋଗ ମିଳିବ ବୋଲି ବାଚସ୍ପତି ଆଶ୍ବାସନା ଦେବାରୁ ସେମାନେ ବସିଯାଇଥିଲେ। ଏହାପରେ ବିଜେପି ବିଧାୟକମାନେ ବିଲ୍‌ ପାରିତ ହେବାବେଳେ ଯେଉଁ ସବୁ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ବିଲ୍‌ ଉପରେ ଅଧିକ ତର୍ଜମା କରିବାକୁ ସିଲେକ୍ଟ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେଗୁଡ଼ିକ ଖାରଜ ହୋଇଯାଇଥିଲା। ବିଜେପି ବିଧାୟକଙ୍କ ପ୍ରତିବାଦକୁ ବିଭାଗୀୟ ମନ୍ତ୍ରୀମାନେ ଜବାବ୍ ଦେଇ ଖାରଜ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସମସ୍ତ ବିଲ୍‌ ପାରିତ ହୋଇଥିଲା।

Comments are closed.