ରିଆଦ୍ ରୋଜା ଓ ଓଡ଼ିଆ କଳା ସଂସ୍କୃତିର ଅନନ୍ୟ ଝଲକ୍

ସାଉଦି ଆରବର ରିଆଦରେ ଦେଖବାକୁ ମିଳିଲା ଓଡ଼ିଶା ଓ ଓଡ଼ିଆ କଳା ସଂସ୍କୃତିର ଝଲକ । ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ(ଆରଓଏସଏ ତଥା ରୋଜା)ର ଅପ୍ରତିଦ୍ବନ୍ଦ୍ବୀ ପ୍ରୟାସ । ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଅକ୍ଟୋବର ୧୪ ତାରିଖରେ ଆୟୋଜିତ ହୋଇଯାଇଛି ଭବ୍ୟ ଉତ୍ସବ । ଯେଉଁଠି, ଭାରତ ମାନଚିତ୍ରରେ ଅନନ୍ୟ ପରିଚୟ ବହନ କରୁଥିବା ଉତ୍କଳୀୟ କଳା, ସଂସ୍କୃତି, ରୁଚି, ପରମ୍ପରା ଓ ମହନୀୟତାର ପ୍ରୋତ୍ସାହନ ପାଇଁ କରାଯାଇଛି ଭିନ୍ନ ଏକ ଉଦ୍ୟମ ।

ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ (ଆର ଓ ଏସ ଏ ତଥା ରୋଜା) ଦ୍ବାରା ଆୟୋଜିତ ଭବ୍ୟ ସମାରୋହରେ ବିଭିନ୍ନ ବୟସ ଓ ବର୍ଗର କଳାକାର ଓ ସୃଜନଶୀଳ ବ୍ୟକ୍ତିବିଶେଷ ଉଚ୍ଚକୋଟିର ବକ୍ତବ୍ୟ, ସୃଜନୀ ଓ ରାଫେଲ୍ ଡ୍ର ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପ୍ରତିଯୋଗିତ ପଛରେ ମଗତ୍ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଐତିହ୍ୟ କଳା ସଂସ୍କୃତିର ପ୍ରଚାର ପ୍ରସାର, ସମାଜସେବା ଓ ସଚେତନତା ସୃଷ୍ଟି ।

ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ ଦ୍ବାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡକ୍ଟର ଦେବ ମହାନ୍ତି । ଓଡ଼ିଆ ବଂଶୋଦ୍ଭବ ଡକ୍ଟର ଦେବ, ଏକାଧାରାରେ ଜଣେ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ, ସମାଜସେବୀ, ବଦାନ୍ୟ ବ୍ୟକ୍ତିତ୍ବ ଏବଂ ଆସମାକ୍ସ (ASMACS) ଗ୍ରୁପ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ।

କାର୍ଯ୍ୟକ୍ରମରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆରଓଏସଏ ତଥା ରୋଜାର ସଭାପତି, ଶ୍ରୀ ସରୋଜ ପାଣିଗ୍ରାହୀ ସ୍ବାଗତ ଜଣାଇବା ସହ ପ୍ରବାସୀ ଭାରତୀୟ, ଓଡ଼ିଆ ସମାଜ ଏବଂ ସଂସ୍କୃତି ସନ୍ଦର୍ଭରେ ସମ୍ୟକ୍ ସମ୍ଭାଷଣ ଦେଇଥିଲେ । ଓଡ଼ିଶା ମାଟିରୁ ସୁଦୂର ରିଆଦ୍ ରେ ରହି ଜଣେ ଗର୍ବିତ ପ୍ରବାସୀ ଓଡ଼ିଆ ଭାବେ ମା ମାଟିର ମହକ ଓ କୁହୁକକୁ ସଗର୍ବେ ବଖାଣିଥିଲେ ସେ । ଏହାସହ କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ ଓଡ଼ିଆ ସମାଜର ସାହାଯ୍ୟ ସହଯୋଗ, ଉଦୀୟମାନ କଳାକାରଙ୍କ ପ୍ରୋତ୍ସାହନ ଏବଂ ବିଦେଶରେ ଓଡ଼ିଶାର ସଦିଚ୍ଛା ପ୍ରଦିପାଦନ କରିଥିବା ରୋଜାର ସମସ୍ତ ସଦସ୍ୟବୃନ୍ଦଙ୍କୁ ଜଣାଇଥିଲେ ସାଧିବାଦ୍ । ଏହିଭଳି ଏକ ମହାର୍ଘ ମୁହୂର୍ତ୍ତରେ ଓଡ଼ିଶା ଓ ଓଡ଼ିଆଙ୍କ ବିରଳ ଉପଲବ୍ଧିକୁ ଉଲ୍ଲେଖ କରିବା ସହ କୁନି କୁନି କୃତୀ କଳାକାରଙ୍କ ନୃତ୍ୟ ସଙ୍ଗୀତକୁ ଉଚ୍ଚପ୍ରଶଂସା କରିଥିଲେ ସଭାପତି ସରୋଜ ପାଣିଗ୍ରାହୀ । କାର୍ଯ୍ୟକ୍ରମରେ ଯୋଗଦେଇ ପରାମର୍ଶଦାତା, ଡକ୍ଟର ଫଜଲ୍, ରୋଜା ସଂଗଠନର ଲକ୍ଷ୍ୟ ଆଭିମୁଖ୍ୟ ସାଙ୍ଗକୁ ଓଡ଼ିଶାର ସଂସ୍କୃତି, ବାଣିଜ୍ୟ, ପରମ୍ପରା ସମ୍ପର୍କରେ ଏକ ସଂକ୍ଷୀପ୍ତ ବିବରଣୀ ପ୍ରଦାନ କରିଥିଲେ । ଯାହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ସାରା ବିଶ୍ବକୁ ଓଡ଼ିଶାର ଏକ ମାନସ-ଚିତ୍ର ପ୍ରଦର୍ଶନ ।

ଆସମାକ୍ସ ଗ୍ରୁପ୍, ସିକ୍ୟୋର୍ ଆଇଜ୍, ରେଡ୍ ଚିଲି, ମାଲାବାର୍ ଗୋଲ୍ଡ୍ ଆଣ୍ଡି ଡାଇମଣ୍ଡସ୍, କୃଷ୍ଟି ରିସର୍ଟ, ପାରାମାଉଣ୍ଟ କମ୍ପ୍ୟୁଟର ସିଷ୍ଟମ୍ସ FZ-LLC, ଶେରୋ ପ୍ରପର୍ଟିଜ୍, ଅଲ୍ ଜଜିରା ସାର୍କେଟ୍ କମ୍ପାନି ଆଣ୍ଡ୍ ଏସ୍କୋୟାର୍ ଇନଫୋଲାବ୍ ସିଷ୍ଟମ୍ସ ପ୍ରା ଲିମିଟେଡ୍ ଦ୍ବାରା ପ୍ରାୟୋଜିତ ହୋଇଯାଇଛି ରୋଜାର ଏହି କାର୍ଯ୍ୟକ୍ରମ।

ଶ୍ରୀମତୀ ମେହବିସଙ୍କ ତତ୍ତ୍ବାବଧାନରେ ଆଫାନ୍, ଅରମାନ୍, ସାୟାନ୍ ଓ ଅରିବାହ ପ୍ରମୁଖ କାର୍ଯ୍ୟକ୍ରମର ଆଙ୍କରିଂ କରିଥିଲେ । ସମାରୋହକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଡକ୍ଟର ଫଜଲ୍, ଶ୍ରୀ ସମଶେର, ଶ୍ରୀ ଅନୱର ଓ ଶ୍ରୀ ଦେବାଶିଷ ମିଳିତଭାବେ ଏକ ସ୍ବତନ୍ତ୍ର ସ୍ମରଣିକା ସଂସ୍କରଣ ଉନ୍ମୋଚନ କରିଥିଲେ ।

“We Dream, We Believe, We Care and We Achieve” ବାର୍ତ୍ତାକୁ ପାଥେୟ କରି ରିଆଦ୍ ର ପ୍ରବାସୀ ଓଡ଼ିଆ ସଂଗଠନ- ରୋଜା, ବିଦେଶରେ ଥିବା ଓଡ଼ିଆଙ୍କୁ ଜନ୍ମମାଟି ଓ ଓଡ଼ିଆଙ୍କ ସଫଳତା ତଥା ବିଜୟଗାଥା ସମ୍ପର୍କିତ ସ୍ମରଣିକା ପ୍ରକାଶନ କରିବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆଗେଇ ଚାଲିଛି ।

Comments are closed.