ଗହଳି ବଢିଲେ ଦୀପ ଦାନ ବନ୍ଦ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରି ପାଇଁ ସମସ୍ତ ମନ୍ଦିର ପରିସର ଚଳଚଞ୍ଚଳ ହୋଇପଡିଛି । କରୋନା ଦୃଷ୍ଟିରୁ ରାଜ୍ୟର କେତେକ ମନ୍ଦିରରେ ଧାରା ୧୪୪ ଲଗାଯାଇଥିବା ବେଳେ ଆଉ କେଉଁଠି କଟକଣା ଭିତରେ ଜାଗର ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଭୁବନେଶ୍ୱରରେ ଥିବା ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ଗହଳଚହଳ ଲାଗିଛି । ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ଦୀପ ଲଗାଇବାକୁ ଅନୁମତି ରହିଛି । କିନ୍ତୁ ଭିଡ଼ ହେଲେ କାର୍ଯ୍ୟାନୁଷ୍ଠାନ ହେବା ସହ ଦୀପଦାନ ବି ବନ୍ଦ ହୋଇପାରେ । ଏକାମ୍ର କ୍ଷେତ୍ରରେ ଦୀପଦାନ ନେଇ ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ସ୍ଥିତି ଦେଖିବୁ, ମନ୍ଦିର ଭିତରେ ଅତ୍ୟଧିକ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ନେବୁ । ବର୍ତ୍ତମାନ ସୁଦ୍ଧା ସବୁ ସୁରୁଖୁରୁରେ ଚାଲିଛି, ଶ୍ରଦ୍ଧାଳୁମାନେ ଧାଡିରେ ଦର୍ଶନ କରୁଛନ୍ତି । କରୋନା କଟକଣା ମାନି ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି ଦିଆଯାଇଛି । ସନ୍ଧ୍ୟାରେ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ ହୋଇପାରେ ।’

ତେବେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ମହାଦୀପ ଉଠିବ । ଜାଗର ଯାତ୍ରାକୁ ସୁଚାରୁରୂପେ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ ୫ ଅତିରିକ୍ତ ଡିସିପି । ମହାଶିବରାତ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଥିଲା ।

Comments are closed.