ବଡ ଖବର: ରାଜ୍ୟରେ ପୁଣି ବଢିଲା ବସ୍ ଭଡା

ଭୁବନେଶ୍ୱର: ତୈଳଦର ହୁ ହୁ ହୋଇ ବଢୁଥିବା କାରଣରୁ ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ଡିଜେଲ ଦର ବୃଦ୍ଧି ପରେ ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୦ ପଇସାରୁ ୮୫ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୮୪ ପଇସା ଥିବା ବେଳେ ଏବେ ୮୯ ପଇସା ହୋଇଛି ।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଡିଲକ୍ସ ବସ ଭଡା ୧.୧୧ ପଇସା ଥିବା ବେଳେ ଏବେ ୧.୨୨ ପଇସା ହୋଇଛି । ଏସି ବସ୍ ଭଡା ୧.୩୯ ପଇସା ଥିବା ବେଳେ ତାହା ୧.୪୯ ପଇସା ହୋଇଛି । ସୁପିର ପ୍ରିମିୟମ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି ।

ଏହା ପୂର୍ବରୁ ଗତମାସରେ ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢିଥିଲା । ସେହିପରି ଏକ୍ସପ୍ରେସ ଭଡ଼ା ୭ ପଇସା, ଡିଲକ୍ସ ବସ୍ ଭଡା ୨ ପଇସା, ଏସି ଡିଲକ୍ସ ଭଡ଼ା ୮ ପଇସା, ସୁପର ପ୍ରିମିୟମ ୨ ଟଙ୍କା ୧୭ ପଇସା ବଢିଥିଲା । ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ବସ ଭଡା ଉପରେ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଯାତାୟତରେ ପ୍ରଭାବ ପକାଇପାରେ ।

Comments are closed.