ଆଜି ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଏହାର ଆରମ୍ଭ ଓ ଶେଷର ସମୟ
ଆଜି ହେଉଛି ଆଷାଢ ପୂର୍ଣ୍ଣିମାର ପୂର୍ଣ୍ଣମାସ ଚନ୍ଦ୍ରଗ୍ରହଣ, ଯେଉଁଥିରେ ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍ । ଏହି ପୁର୍ଣ୍ଣମାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ଲାଲ୍ ଓ ବିରାଟ ଆକାରରେ ଦୃଶ୍ୟମାନ ହେବ । ୧ ଘଣ୍ଟା ୪୩ ମିନିଟ୍ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ଆଜି ରାତି ୧୦ଟା ୪୪ ମିନିଟ୍ରୁ ଗ୍ରହଣ ଆରମ୍ଭ ହେବ। ତେବେ ଚନ୍ଦ୍ର ପୃଥିବୀର ଉପଛାୟାରେ ୧୧ଟା ୫୪ ମିନିଟ୍ରେ ପ୍ରବେଶ କରିବ। ଏହା ଛାୟାରେ ପ୍ରବେଶ କରିବା ସହ ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ ମିନିଟ୍ରେ ପୂର୍ଣ୍ଣଗ୍ରହଣ ଶେଷ ହେବ। ଗ୍ରହଣ ସଂପୂର୍ଣ୍ଣ ଛାଡ଼ିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ। ଆସନ୍ତାକାଲି ଭୋର୍ ୪ଟା ୫୮ ମିନିଟ୍ରେ ସର୍ବମୋକ୍ଷ ହେବ । ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ଥିବାବେଳେ ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନ ଶୁଭଦାୟକ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚନ୍ଦ୍ରଗ୍ରହଣ ନୀତି ଚୂଡାନ୍ତ ହୋଇଛି । ଭୋର ୫ଟାରୁ ଦ୍ୱାରଫିଟା, ୫ଟା ୪୦ରେ ମଙ୍ଗଳ ଆଳତୀ କରାଯାଇଛି । ମଇଲମ, ତଡ଼ପଲାଗି, ଅବକାଶ ନୀତି ଆଦି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ ଅନ୍ୟାନ୍ୟ ନୀତି କରାଯାଇଛି ।
ଭାରତ ସମେତ ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖାଯିବା ବେଳେ ଉତ୍ତର ଆମେରିକା, ଅଷ୍ଟ୍ରେଲିଆ,ଗ୍ରୀନ୍ଲ୍ୟାଣ୍ଡ୍ ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଆଂଶିକ ଦୃଶ୍ୟମାନ ହେବ ।
Comments are closed.