ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱର ଗାଥା ବଖାଣିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସ୍ଥାନୀୟ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିତରଣ ସମାରୋହ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସମ୍ବୋଧନରେ ଓଡ଼ିଶାର ଦୁଇ ବୀରପୁତ୍ର ନେତାଜୀ ସୁଭ‌ାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରିଥିଲେ। ଏଭଳି ରାଷ୍ଟ୍ର ନିର୍ମାତାଙ୍କ ବିଷୟରେ ପିଲାମାନେ ପ୍ରେରଣା ନେବା ଦରକାର ଓ ସ୍ବାଧୀନତା ସଂଗ୍ରାମର ମହତ୍ତ୍ବ ସମସ୍ତଙ୍କୁ ବୁଝିବାକୁ ପଡ଼ିବ ବୋଲି ସେ କହିଥିଲେ। ରାଷ୍ଟ୍ରପତି କହିଲେ ଯେ ୧୮୫୭ ସ୍ବାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ଇଂରେଜମାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖାଯାଇଥିଲା।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା କରି ରାଷ୍ଟ୍ରପତି କହିଲେ, ନେତାଜୀଙ୍କ ପ୍ରାରମ୍ଭିକ ଶିକ୍ଷା ଓଡ଼ିଶାର କଟକରେ ହୋଇଥିଲା। କଟକର ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ଶିକ୍ଷା ଆରମ୍ଭ କରିବା ପରେ ସେ କଟକର ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ସେଠାରେ ଅଧ୍ୟୟନ କରିବା ସମୟରେ ସ୍ବାମୀ ବିବେକାନନ୍ଦ ଏବଂ ଅରବିନ୍ଦଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ସେ ଭାରତୀୟ ବସ୍ତ୍ର ଏବଂ ବେଶଭୂଷ‌ା ମଧ୍ୟ ଆପଣାଇଥିଲେ। ସେ ଅତ୍ୟନ୍ତ ମେଧାବୀ ବିଦ୍ୟାର୍ଥୀ ଥିଲେ। ଆଇସିଏସ୍‌ ଭଳି ଅତ୍ୟନ୍ତ କଠିନ ପରୀକ୍ଷାରେ ଉଚ୍ଚସ୍ଥାନ ହାସଲ କରିଥିଲେ। ହେଲେ ଦେଶପ୍ରେମ ଏବଂ ସ୍ବାଭିମାନ କାରଣରୁ ଆଇସିଏସ୍‌ ଚାକିରି ପରିତ୍ୟାଗ କରିଥିଲେ ଓ ସଂଘର୍ଷର ବାଟ ବାଛିନେଇଥିଲେ। କେବଳ ୨୪ ବ‌ର୍ଷ ବୟସରେ ସ୍ବାଧୀନତା ସଂଗ୍ରାମ ଅଭିଯାନରେ ସେ ଗିରଫ ହୋଇଥିଲେ। ନେତାଜୀଙ୍କ ପାଇଁ ସମସ୍ତ ଭାରତୀୟ ଗର୍ବ କରୁଛନ୍ତି ବୋଲି ରାଷ୍ଟ୍ରପତି ସମ୍ବୋଧନରେ କହିଥିଲେ। ସେ ଆଜାଦୀ ମିଳିବା ପୂର୍ବରୁ ଭାରତର ସ୍ବାଧୀନତାର ଅଭିବ୍ୟକ୍ତିକୁ ବ୍ୟକ୍ତ କରିଥିଲେ। ମଣିପୁର ଓ ଆଣ୍ଡାମାନରେ ତ୍ରିରଙ୍ଗା ଉଡ଼‌ାଇଥିଲେ। ସେ ସାହସ ଓ ଦେଶପ୍ରେମର ଅଦ୍‌ଭୁତ ଦୃଷ୍ଟାନ୍ତ ଥିଲେ ବୋଲି ରାଷ୍ଟ୍ରପତି କହିଥିଲେ।

ସମାରୋହରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟ‌ାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଲେ ଯେ ଆଜି ରାଷ୍ଟ୍ରପତି ତାଙ୍କ ଶିକ୍ଷକ ବେହେରା ସାର୍‌ଙ୍କୁ ମନେ ପକାଇଛନ୍ତି। ରାଷ୍ଟ୍ରପତି ଯେତେବେଳେ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେତେବେଳେ ବେହେରା ସାର୍ ଶ୍ରେଣୀରେ ଡଷ୍ଟର ଶେଷ ‌ହୋଇଯାଇଥିବା କହିଥିଲେ। ଆର ଦିନ ରାଷ୍ଟ୍ରପତି ତିନିଟି ଡଷ୍ଟର ନେଇ କ୍ଲାସକୁ ଯାଇଥିଲେ।

Comments are closed.