ଭାରତୀୟ ନୌସେନାକୁ ମୁଖ୍ୟହେଲେ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ

ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ନୌସେନା ମୁଖ୍ୟ ଭାବେ ଆଡମିରାଲ ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା । ଆଜି ଦିଲ୍ଲୀରେ ନୌସେନା ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ବର୍ତ୍ତମାନର ନୌସେନା ମୁଖ୍ୟ ପିଭିଏସ୍‌ଏମ୍‌, ଏଭିଏସ୍‌ଏମ୍‌, ଭିଏସ୍‌ଏମ୍‌ ଆଡମିରାଲ ଆର. ହରି କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ୨୬ ତମ ଭାରତୀୟ ନୌସେନା ମୁଖ୍ୟ ହୋଇଛନ୍ତି ଆଡମିରାଲ ତ୍ରିପାଠୀ । ସେ ନୌସେନାରେ ପ୍ରାୟ ୪୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଏକାଧିକ ଗୁରୁ ଦାୟିତ୍ୱ ଓ ସାମୁଦ୍ରିକ ମିଶନର ନେତୃତ୍ୱ ମଧ୍ୟ ନେଇଛନ୍ତି ।

୧୯୬୪ ମସିହା ମେ’ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ୧୯୮୫ ମସିହା ଜୁଲାଇ ପହିଲାରେ ଭାରତୀୟ ନୌସେନାରେ ଭର୍ତ୍ତି ହୋଇଥିଲେ। ସେ ପ୍ରାରମ୍ଭିକ ସମୟରେ ଜଣେ ନୌସନିକ ଭାବେ କାର୍ଯ୍ୟନିର୍ବାହୀ ଶାଖାରେ ଯୋଗ ଦେଇଥିଲେ। ଜଣେ ଯୋଗାଯୋଗ ଏବଂ ବୈଦ୍ୟୁତିକ ଯୁଦ୍ଧ ବିଶେଷଜ୍ଞ ଭାବେ ତାଙ୍କର ଅଭିଜ୍ଞତା ରହିଛି । ସେ ପ୍ରାୟ ୩୯ ବର୍ଷ ଧରି ନୌସେନାରେ ଏକାଧିକ ବରିଷ୍ଠ କମାଣ୍ଡିଂ ପଦରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ପଶ୍ଚିମ-ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ-ଚିଫ୍‌ ଭାବରେ ମୁମ୍ବାଇ ନୌସେନା ବେସରେ କାଯ୍ୟରତ ଥିଲେ ।

କାର୍ଯ୍ୟଭାର ସମ୍ଭାଳିବା ପରେ ଆଡମିରାଲ ତ୍ରିପାଠୀ କହିଛନ୍ତି, ସେ ନୌସେନାରେ ନୂତନ ପଦ୍ଧତି ସାମିଲ କରି ଆତ୍ମନିର୍ଭର କରିବା ପ୍ରୟାସକୁ ଆଗକୁ ନେବେ। ସାମୁଦ୍ରିକ ସୀମାରେ ଦେଖାଯାଉଥିବା ଚ୍ୟାଲେଞ୍ଜକୁ ଦେଖି ଭାରତୀୟ ନୌସେନାକୁ ସମ୍ଭାବିତ ଶତ୍ରୁଙ୍କ ମୁକାବିଲା କରିବା ଲାଗି ପରିଚାଳନାଗତ ଦୃଷ୍ଟି ଉପରେ ନଜର ରଖିବାକୁ ହେବ।

Comments are closed.