କାହିଁକି ଅସହାୟ ହୋଇପଡିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର?
ଭୁବନେଶ୍ୱର :ସୌମ୍ୟାଙ୍କ ସମ୍ପାଦକୀୟ ବାଣ- ‘ବୃତ୍ତି, ପାର୍ଟି ଓ ମାଟି’ | ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ | ତାଙ୍କ ଦ୍ୱାରା ପ୍ରକାଶିତ ସମ୍ବାଦ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ‘ବୃତ୍ତି, ପାର୍ଟି ଓ ମାଟି’ ଶୀର୍ଷକ ସମ୍ପାଦକୀୟ ଲେଖି ମନ୍ତ୍ରୀ ଦିବ୍ୟଶଙ୍କର ଜାରି କରିଥିବା ପ୍ରେସ ବିବୃତ୍ତି ସମ୍ପର୍କରେ କଡା ଟିପ୍ପଣୀ ଦେଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ମନ୍ତ୍ରୀ ଆମ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି ବୋଲି ସେ ଲେଖିଛନ୍ତି |
ମନ୍ତ୍ରୀ ଜଣେ ବାପା ଭାବରେ ମମିତା ଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ ଓ ମମିତାଙ୍କ ପରିବାର ପ୍ରତି ତାଙ୍କର ସମବେଦନା ଅଛି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଯାଇ ସେଇ ସମବେଦନା ଟିକକ ଦେଖେଇଲେ ନାହିଁ କାହିଁକି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ପଛେ କ୍ଷତିଗ୍ରସ୍ତ ହେବେ କିନ୍ତୁ ଅନ୍ୟକୁ କ୍ଷତି ଗ୍ରସ୍ତ ହେବାକୁ ଦେବେ ନାହିଁ ତେବେ ଏ ଘଟଣାରେ କିଏ କ୍ଷତିଗ୍ରସ୍ତ ହୋଇଛି ଆଉ କାହା ପରିବାର ଆଖିରୁ ଲୁହ ଶୁଖୁନି ? ଜଣେ ସଶସ୍ତ୍ର ବାହିନୀର ଲଢୁଆ ସୈନିକ ଙ୍କ ଆଦର୍ଶ କୁଆଡେ ଗଲା ବୋଲି ସୌମ୍ୟ ଲେଖିଛନ୍ତି |
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦିବ୍ୟଶଙ୍କର ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ବାବୁଙ୍କ କୌଣସି ଭୂମିକା ନ ଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।
ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଇଶ୍ୱରଙ୍କ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି । ତେବେ ମାନ୍ୟବର ମନ୍ତ୍ରୀଙ୍କ ସପକ୍ଷରେ ତ ବହୁତ ବଡ଼ବଡ଼ ଲୋକ ଅଛନ୍ତି ମାତ୍ର କଣପାଇଁ ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି ? ନିଜ ପକ୍ଷର ନୈତିକତା ଓ ମୂଲ୍ୟବୋଧ କୁ ଭୁଲି ଗଣମାଧ୍ୟମ କୁ ନୈତିକତା ଓ ମୂଲ୍ୟବୋଧର ପାଠ ପଢାଉଛନ୍ତି ମନ୍ତ୍ରୀ ବୋଲି ସୌମ୍ୟରଂଜନ ନିଜ ସମ୍ପାଦକୀୟରେ ଲେଖିଛନ୍ତି ।
Comments are closed.