ଭଗବାନ ଗଣେଶଙ୍କ ପାଖରେ କାହିଁକି ଲାଗି ହୁଏନି ତୁଳସୀ?
ଭୁବନେଶ୍ୱର : ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ । ଏତେ ପ୍ରିୟ ଯେ, ଭଗବାନ ବିଷ୍ଣୁଙ୍କ ଏକ ସ୍ୱରୂପ ସାଳଗ୍ରାମର ବିବାହ ତୁଳସୀ ସହିତ ହୋଇଛି । ଯେଉଁଠି ଭଗବାନ ଗଣେଶଙ୍କ ପୂଜାରେ ତୁଳସୀକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରାଯାଇଛି । ତେବେ ଏପରି କ’ଣ ପାଇଁ ତାହା ଜାଣିବା ।
ପୌରାଣିକ କଥା ଅନୁଯାୟୀ, ଏକଦା ଶ୍ରୀଗଣେଶ ଗଙ୍ଗା ନଦୀ ତଟରେ ତପସ୍ୟା କରୁଥିଲେ । ଏହି ସମୟରେ କନ୍ୟା ତୁଳସୀ ବିବାହର ଇଚ୍ଛା ନେଇ ତୀର୍ଥ ଯାତ୍ରାରେ ବାହାରିଥିଲେ । ଦେବୀ ତୁଳସୀ ସମସ୍ତ ତୀର୍ଥ ସ୍ଥଳ ଭ୍ରମଣ କରି ଗଙ୍ଗା ତଟରେ ପହଞ୍ଚôଲେ । ଗଙ୍ଗା ତଟରେ ଦେବୀ ତୁଳସୀ ଯୁବକ ଗଣେଶଙ୍କୁ ଦେଖିଲେ ଯିଏ ତପସ୍ୟାରେ ମଗ୍ନ ଥିଲେ । ଶାସ୍ତ୍ର ଅନୁସାରେ ତପସ୍ୟା ସମୟରେ ଗଣେଶ ରତ୍ନଜଡ଼ିତ ସିଂହାସନ ଉପରେ ବସିଥିଲେ । ତାଙ୍କ ସମ୍ପୂର୍ଣ୍ଣ ଶରୀରରେ ଚନ୍ଦନ ଲେପା ଯାଇଥିଲା । ବେକରେ ପୁଷ୍ପମାଳା ସହିତ ସ୍ୱର୍ଣ୍ଣ ମଣି ଖଚିତ ରତ୍ନର ଅନେକ ହାର ପିନ୍ଧିଥିଲେ । ଅଣ୍ଟାରେ ଅତ୍ୟନ୍ତ କୋମଳ ରେସମ ପିତାମ୍ବର ପିନ୍ଧିଥିଲେ । ତୁଳସୀ ଶ୍ରୀଗଣେଶଙ୍କ ଏପରି ରୂପରେ ମୋହିତ ହୋଇଗଲେ । ନିଜ ମନରେ ଗଣେଶଙ୍କୁ ବିବାହ କରିବାର ଇଚ୍ଛା ସୃଷ୍ଟି କରି ତାଙ୍କ ତପସ୍ୟାକୁ ଭଗ୍ନ କରିଦେଲେ । ଗଣେଶ ତୁଳସୀର ମନର ଇଚ୍ଛାକୁ ଜାଣି ନିଜକୁ ବ୍ରହ୍ମଚାରୀ କହି ବିବାହର ପ୍ରସ୍ତାବକୁ ମନା କରିଦେଲେ ।
ଶ୍ରୀ ଗଣେଶଙ୍କ ଦ୍ୱାରା ନିଜର ବିବାହ ପ୍ରସ୍ତାବକୁ ମନା କରିବା ଶୁଣି ଦେବୀ ତୁଳସୀ ରାଗିଯାଇ ତାଙ୍କର ଦୁଇଟି ବିବାହ ହେବ ବୋଲି ଅଭିଶାପ ଦେଲେ । ଏଥିରେ ଶ୍ରୀ ଗଣେଶ ରାଗିଯାଇ ତୁଳସୀଙ୍କ ବିବାହ ଏକ ରାକ୍ଷସଙ୍କ ସହିତ ହେବ ବୋଲି ଅଭିଶାପ ଦେଇଥିଲେ । ଜଣେ ରାକ୍ଷସର ପତ୍ନୀ ହେବା କଥା ଜାଣି ତୁଳସୀ ପ୍ରଭୁ ଗଣେଶଙ୍କୁ କ୍ଷମା ପ୍ରାର୍ଥନା କଲେ । ଗଣେଶ କହିଲେ ତୁମର ବିବାହ ଶଙ୍ଖଚୁଡ଼ ରାକ୍ଷସ ସହିତ ହେବ । କିନ୍ତୁ ପରେ ତମେ ଗୋଟିଏ ଗଛର ରୂପ ଧାରଣ କରିବ ଓ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ରହିବ । କଳିଯୁଗରେ ଜୀବନ ଓ ମୋକ୍ଷ ପ୍ରଦାନ କରିବ । କିନ୍ତୁ ମୋ ପୂଜାରେ ତୁମର ପ୍ରୟୋଗ ସେତେବେଳେ ବି କରାଯିବ ନାହିଁ । ମୋ ପୂଜାରେ ତୁଳସୀ ଅର୍ପଣ କରିବା ଶୁଭ ହେବ ନାହିଁ । ସେହିଦିନରୁ ଗଣେଶ ପୂଜାରେ ତୁଳସୀକୁ ବର୍ଜନ କରାଯାଇଛି ।
Comments are closed.