କାହିଁକି ଏମିତି କଲେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଖଦୀ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନାଙ୍କଦ୍ବାରା ପ୍ରେରିତ ମାନହାନି ନୋଟିସ୍‌କୁ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ ସାଂସଦ ସଞ୍ଜୟ ସିଂହ ଚରି ପକାଇଛନ୍ତି।
ଏହା ହେଉଛି ‘ଆପ୍‌’ ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦର ସଦ୍ୟତମ ଘଟଣା। ଉକ୍ତ ନୋଟିସ୍‌କୁ ଚିରି ପକାଇ ରାଜ୍ୟସଭା ସାଂସଦ ଉପରାଜ୍ୟପାଳ ସାକ୍‌ସେନ୍‌ଙ୍କୁ କଟୂ ସମାଲୋଚନା କରି ତାଙ୍କୁ ଏହି ସାମ୍ବିଧାନିକ ପଦରୁ ବହିଷ୍କାର କରିବା ପାଇଁ ଆହ୍ବାନ ଦେଇଛନ୍ତି।

ନୋଟିସ୍‌କୁ ଟିକି ଟିକି କରି ଚିରି ପକାଇବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂହ କହିଲେ, ରାଜ୍ୟସଭାର ସଦସ୍ୟ ଭାବେ ମୋର ସତ କହିବା ଅଧିକାର ଅଛି। ଜଣେ ଚୋର, ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କଦ୍ବାରା ପ୍ରେରିତ ଏହି ସବୁ ଆଇନଗତ ନୋଟିସ୍‌ ପ୍ରତି ମୋର ଭୟ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଉପରାଜ୍ୟପାଳ କାରିଗରମାନଙ୍କ ଅର୍ଥରୁ ୨.୫ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ଆମେ ଦୁର୍ନୀତି ଧରାପକାଇ ଦେବାରୁ ସେ ‘ଲିଗାଲ୍‌ ନୋଟିସ୍‌’ ପଠାଉଛନ୍ତି। ଲୁଟ୍‌ ଅର୍ଥ କେଉଁଠି ଅଛି ଜାଣିବା ପାଇଁ ଉପରାଜ୍ୟପାଳ ସାକ୍‌ସେନାଙ୍କ ବିରୋଧରେ ‘ସିବିଆଇ-ଇଡି’ ତଦନ୍ତ ଆବଶ୍ୟକ। ଏଭଳି ନୋଟିସ୍‌କୁ ମୁଁ ୧୦ ଥର ଚିରି ଫିଙ୍ଗି ଦେଇପାରିବି।

ସୂଚନାଯୋଗ୍ୟ, ତାଙ୍କ ନାମରେ ରୁଚିହୀନ ଓ ତିକ୍ତ ଅଭିଯୋଗ କରାଯାଇଥିବା ଦର୍ଶାଇ ସୋମବାର ଦିନ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଆତିଶି, ସୌରଭ ଭରଦ୍ବାଜ, ଦୁର୍ଗେଶ ପାଠକ, ସଞ୍ଜୟ ସିଂହ ଏବଂ ଜାସ୍ମିନ୍‌ ଶାହଙ୍କ ସମେତ ‘ଆପ୍‌’ ନେତାଙ୍କ ପ୍ରତି ‘ଲିଗାଲ୍‌ ନୋଟିସ’ ଜାରି କରିଥିଲେ।

Comments are closed.