ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି: ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି ଭିଜିଲାନ୍ସ । ରିପୋର୍ଟ ଦାଖଲ ପରେ ଘଟଣାର ତର୍ଜମା ହେବ । ଆସନ୍ତା ୨୬ ତାରିଖରେ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ସୂଚନା ଦେଇଛନ୍ତି ଅଭିଯୋଗକାରୀ ସୁଶାନ୍ତ ପାଢୀ ଓ ସୁଦର୍ଶନ ଦାସ ।

ତେବେ ମାସ୍କ, ପିପିଇ କିଟ୍‌, କୋଭିଡ୍‌ ପରୀକ୍ଷା କିଟ୍‌, ନେବୁଲାଇଜର ଇତ୍ୟାଦି ଜିନିଷପତ୍ର କିଣାରେ ଚଞ୍ଚକତା, ଅହେତୁକ ପକ୍ଷପାତିତା ଓ ନୀତି ନିୟମକୁ ଭଙ୍ଗ କରାଯାଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ଔଷଧ ନିଗମ ଗତ ଏପ୍ରିଲ ୧୫ତାରିଖରେ ଗୋଟିଏ କମ୍ପାନିରୁ ୫ଲକ୍ଷ ମାସ୍କ ୧୦ଟଙ୍କାରେ କିଣି ଥିବା ବେଳେ ‌ଏପ୍ରିଲ ୧୭ତାରିଖରେ ସେହି ମାସ୍କକୁ ତାମିଲନାଡ଼ୁର ଏକ ଘରୋଇ କମ୍ପାନିରୁ ୧୬ଟଙ୍କାରେ କିଣିଥିଲେ। ଯେଉଁ ସମୟରେ ରାଜ୍ୟ ସରକାର ୧୬ ଟଙ୍କାରେ ସେହି କମ୍ପାନିରୁ ମାସ୍କ କିଣିଥିଲେ। ଅନ୍ୟପକ୍ଷରେ ସେହି ସମୟରେ ଦିଲ୍ଲୀ, ପୁଡୁଚେରୀ, ଆଣ୍ଡାମାନ, ତେଲେଙ୍ଗାନା, ଗୁଜୁରାଟ ଇତ୍ୟାଦି ରାଜ୍ୟ ୧.୩୪ ଟଙ୍କାରୁ ଆରମ୍ଭ କରି ୮.୪୭ ଟଙ୍କା ପର୍ଯ୍ୟନ୍ତ ଦରରେ କିଣିଥିଲେ।

ପୂର୍ବରୁ ଲୋକାୟୁକ୍ତ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ଲାଗି କହିଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି ଜରିଆରେ କୋଭିଡ୍‌ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କ’ଣ ଦାୟିତ୍ବ ଦିଆଯାଇଥିଲା ତାହାର ଉତ୍ତର ରଖିଥିଲେ।

Comments are closed.