ତୁର୍କୀ ଭୂମିକମ୍ପ ୩୬ ହାଜର ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ: ତୁର୍କୀ ଓ ସିରିୟା ଭୂକମ୍ପକୁ ସ‌ପ୍ତାହେ ସପ୍ତାହେ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଏହି ଦୁଇ ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୩୬ ହଜାର ଟପିଯାଇଛି। ଅନେକ ଲୋକ ଘର ହରାଇ ଏବେ ରାସ୍ତା କଡ଼କୁ ଚାଲି ଆସିଛନ୍ତି। ବଞ୍ଚିଯାଇଥିବା କିଛି ଲୋକ ଏବେ ବି ଭଗ୍ନ କୋଠା ଆଗରେ ମୃତ୍ୟୁବରଣ କରିଥିବା ଆପଣାର ଲୋକମାନଙ୍କୁ ଝୁରି ହେଉଛନ୍ତି। ଇତି ମଧ୍ୟରେ ଗାଜିଆନଟେପ, ହତାଇ, ନୁରଦାଗି ଏବଂ ମାରସର ହଜାର ହଜାର ଲୋକ ପ୍ରଭାବିତ ଅଞ୍ଚଳ ଛାଡ଼ି ଦେଇ ଗାଜିଆନଟେପ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ୧୨ ସୁଦ୍ଧା କେବଳ ଉତ୍ତରପଶ୍ଚିମ ସିରିୟାରେ ୪,୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ଗୁଣା ହେବ ବୋଲି ଜାତିସଂଘ ଆକଳନ କରିଛନ୍ତି। ଜାତିସଂଘ ସହାୟତା ମୁଖ୍ୟ ଆଜି ସିରିୟା ଗସ୍ତ କରିଛନ୍ତି।

ଜାତିସଂଘ ସହାୟତା ମୁଖ୍ୟ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସୁଛି। ଏବେ ବାସସ୍ଥାନ, ଖାଦ୍ୟ, ଶିକ୍ଷା ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ଜରୁରୀ । ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ଆବଶ୍ୟକ ସାମଗ୍ରୀର ଯୋଗାଣ ଶେଷ ହୋଇଯାଉଥିବା ଜଣାପଡ଼ିଛି। ପ୍ରତି ପ୍ରଭାବିତ ସହରରେ ହଜାର ହଜାର ଲୋକଙ୍କୁ ରହିବାପାଇଁ ଜାଗା ଦରକାର। ଅସ୍ଥାୟୀ ଟେଣ୍ଟ୍‌ର ଅଭାବ ଦେଖାଦେଇଛି। ଇତି ମଧ୍ୟରେ ରବିବାର ଦିନ ତୁର୍କୀର ଦକ୍ଷିଣ ସହର କହରାମନମରାସରେ ୪.୭ ତୀବ୍ରତାର ଭୂକମ୍ପ ‌ହୋଇଛି। ରବିବାର ସୁଦ୍ଧା ତୁର୍କୀର ମାରସ ସହରରେ ପ୍ରାୟ ୫ ହଜାର ଶବ ପୋତାଯାଇଛି। କବର ସ୍ଥଳରେ ଆଉ ଜାଗା ନେହେବାରୁ ମେସିନ ଦ୍ବାରା ଅଧିକରୁ ଅଧିକ କବରସ୍ଥଳ ଖୋଳାଯାଉଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, କେବଳ ମାରସ ସହରରେ ୧୦ ହଜାର ଭୂକମ୍ପ ପୀଡ଼ିତଙ୍କୁ ପୋତିବା ଆବଶ୍ୟକ ପଡ଼ିପାରେ। ସ୍ଥାନୀୟ ପ୍ରଶାସନ ଅନୁଯାୟୀ ପ୍ରତି କିଛି ମିନିଟ୍‌ରେ ଥର‌କେ ୧୨ରୁ ଅଧିକ ଶବ କବରସ୍ଥଳରେ ପହଞ୍ଚୁଛି। ତେଣୁ ଗଣ କବରସ୍ଥଳ ଖୋଳିବାପାଇଁ ତୁର୍କୀର ମାରସରେ ପାଇନ ଜଙ୍ଗଲର ଏକ ବିଶାଳ ଅଂଶ କଟାଯାଇଛି।

Comments are closed.