ସାଇକେଲ ଚଳାଇବାକୁ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ସୁସ୍ଥ ଜୀବନକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତବର୍ଷ ଆରମ୍ଭ ହୋଇଥିବା ‘ସୁସ୍ଥ ମନ, ସୁସ୍ଥ ଘର’ ଅଭିଯାନର ଏକ ଅଂଶ ଭାବରେ ସାରା ଦେଶରେ ଆସନ୍ତାକାଲି ଦିନ ୧.୫୬ ଲକ୍ଷ ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି -ଏଚ୍ଡବ୍ଲୁସି)ରେ ସ୍ୱାସ୍ଥ୍ୟମେଳା ଆୟୋଜିତ ହେବ। ଏହି ସ୍ୱାସ୍ଥ୍ୟମେଳାର ଏକ ଅଂଶ ଭାବରେ ଯୋଗ, ଜୁମ୍ବା, ଟେଲି – ପରାମର୍ଶ, ନିଶ୍ଚୟ ପୋଷଣ ଅଭିଯାନ, ଅଣ – ସଂକ୍ରାମକ ରୋଗର ଯାଂଚ ଏବଂ ଔଷଧ ବଂଟନ, ସିକଲ୍ ସେଲ୍ ରୋଗ ଯାଂଚ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏପରି ମେଳା ପ୍ରତ୍ୟେକ ମାସ ୧୪ ତାରିଖରେ ଆୟୋଜିତ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ କହିଛନ୍ତି।
ଏହା ସହିତ ସମତାଳରେ ଶାରୀରିକ ଓ ମାନସିକ କଲ୍ୟାଣ ଏବଂ ପରିବେଶ-ଅନୁକୂଳ ପରିବହନ ପାଇଁ ସଚେତନତା ବୃଦ୍ଧି ନିମନ୍ତେ ସମସ୍ତ ଏବି – ଏଚ୍ଡବ୍ଲ୍ୟୁସିରେ ଏକ ସାଇକେଲ୍ ଚାଳନା କାଯ୍ୟକ୍ରମ ଆୟୋଜିତ ହେବ। ଦିଲ୍ଲୀରେ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜରେ ‘ସ୍ୱାସ୍ଥ୍ୟ ପାଇଁ ସାଇକେଲ୍ ଚାଳନା’ ବିଷୟ ସହିତ ଏକ ସାଇକ୍ଲାଥନ୍ ଆୟୋଜନ କରାଯିବ। ହସ୍ପିଟାଲ ପରିସରରେ ଥିବା ଏକ ଅଂଚଳକୁ ଏକ ସାଇକେଲ ଷ୍ଟାଣ୍ଡ ଭାବରେ ସମର୍ପିତ କରାଯିବ। ସମସ୍ତ ସ୍ୱାସ୍ଥ୍ୟ ସଚେତନ ଓ ସାଇକେଲ-ଚାଳକଙ୍କୁ ପ୍ରୋତ୍ସାହିତ କରି ମନ୍ତ୍ରୀ ମାଣ୍ଡବୀୟ ନିକଟସ୍ଥ ଏବି – ଏଚ୍ଡବ୍ଲ୍ୟୁସିଗୁଡିକରେ ମେଗା ସାଇକେଲ ଚାଳନା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଆମ ଶରୀରକୁ ସୁସ୍ଥ, ସକ୍ଷମ ଏବଂ ସକ୍ରିୟ ରଖିବା ପାଇଁ ସାଇକେଲ ଚଳାଇବା ହେଉଛି ସର୍ବୋତ୍ତମ ଉପାୟ। ଆପଣ ବେଶି ସମୟ କିମ୍ବା ଅଳ୍ପ ସମୟ ଚଲାନ୍ତୁ, ଯେତେ ଦୀର୍ଘ ବାଟ କିମ୍ବା ଅଳ୍ପ ବାଟ ଚଲାନ୍ତୁ, କିନ୍ତୁ ନିଶ୍ଚୟ ସାଇକେଲ ଚଲାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.