ତ୍ରିପୁରାରେ ଆଜି ଶେଷ ହେବ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନ। ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟକ୍ରମ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତ୍ରିପୁରାରେ ରାଲି କରିଛନ୍ତି। ଅଗରତାଲାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ବିଜେପି ସରକାର ରାଜ୍ୟକୁ ଅରାଜକତା ମୁକ୍ତ କରିଛି ଏବଂ ରାଜ୍ୟରେ ଶାନ୍ତି ଆଣିଛି। ପୂର୍ବ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବର୍ଷି ମୋଦୀ କହିଛନ୍ତି, ତ୍ରିପୁରାର ଲୋକମାନେ ପୂର୍ବର ଅରାଜକତାପୂର୍ଣ୍ଣ ଦିନ ଗୁଡ଼ିକୁ କେବେ ବି ଭୁଲିବେନି। ଆମେ ତ୍ରିପୁରାକୁ ଶାନ୍ତି ଆଣିଛୁ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିଛୁ। ତ୍ରିପୁରାର ଲୋକମାନେ ଲାଲ୍‌ ସଙ୍କେତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଡବଲ ଇଂଜିନ ସରକାରକୁ ନିର୍ବାଚିତ କରିଛନ୍ତି।

ମୋଦୀ କହିଛନ୍ତି, ତ୍ରିପୁରାରେ ଡବଲ ଇଂଜିନ ସରକାର ପ୍ରତି ସମର୍ଥନ ଦେଖି ମୋର ଖୁସି ଦ୍ବିଗୁଣା ହୋଇଯାଉଛି। ମୋଦୀ କହିଛନ୍ତି, ତ୍ରିପୁରାର ଭୋଟରମାନେ ଦାଦାବଟି ସଂସ୍କୃତିରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିପୁରାର ମହିଳା ଏବଂ ଯୁବ‌ଗୋଷ୍ଠୀ ଚାନ୍ଦା ଏବଂ ଝଣ୍ଡାକୁ ରେଡ୍‌ କାର୍ଡ ଦେଖାଇଛନ୍ତି। ‌ବାମ ସାମ୍ମୁଖ୍ୟ ସରକାର ସମୟରେ ତ୍ରିପୁରାରେ ପ୍ରବଳ ହତ୍ୟାକାଣ୍ଡ ହେଉଥିଲା। କିନ୍ତୁ ବିଜେପି ସରକାର ଶାନ୍ତି ନେଇ ଆସିଛି। ବାମ ସାମ୍ମୁଖ୍ୟ ସରକାରରେ ନେତାମାନେ ନିଜକୁ ରାଜା ଭାବୁଥିଲେ ଏବଂ ତ୍ରିପୁରାର ଲୋକମାନଙ୍କୁ ସେମାନଙ୍କ ଦାସ ବୋଲି ଭାବୁଥିଲେ। କିନ୍ତୁ ତ୍ରିପୁରାରେ ଏବେ ସମସ୍ତ ପରିବାର ବିଜେପି ନୀତିରେ ଉପକୃତ ହୋଇଛନ୍ତି। ମୋଦୀ କହିଛନ୍ତି, ଉତ୍ତରପୂର୍ବରେ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଅଗରତାଲା ଏକ ପ୍ରବେଶପଥ ପାଲଟିଛି।

Comments are closed.