ତୁର୍କୀ ଭୂମିକମ୍ପ ୨୩ ହାଜର ଟପିଲା ମୃତ୍ୟୁ ସଂଖ୍ୟା
ଇସ୍ତାନବୁଲ : : ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୨୩ ହଜାର ଟପିଯାଇଛି। ଉଭୟ ତୁର୍କୀ ଏବଂ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇ ରହିଛନ୍ତି। ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ। ତୁର୍କୀର ହତୟ ପ୍ରଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସବୁଠି ହତାଶା ଦେଖାଦେଇଛନ୍ତି ।
ପର୍ଯ୍ୟାପ୍ତ ପରିମାଣରେ ଟେଣ୍ଟ ଏବଂ ଅସ୍ଥାୟୀ ଶିବିର ନଥିବାରୁ ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକେ ଏବେ ଖୋଲାରେ ପଡ଼ି ରହିଛନ୍ତି। ଶୀତର ପ୍ରକୋପ ସହି ହେଉନି। ଘର ନଥିବାରୁ ଲୋକମାନେ ବିଯୁକ୍ତ ୨ ଡିଗ୍ରି ସେଲସିୟସ ତାପମାତ୍ରାରେ କାର୍ରେ ଏବଂ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି। ହତୟରେ ବିମାନବନ୍ଦର ରନ୍ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି। ତୁର୍କୀରେ କିଛି ଲୋକଙ୍କୁ ଅତି ଚମତ୍କାର ଭାବେ ଉଦ୍ଧାର କରାଯାଇଛି। ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ବି କିଛି ଲୋକଙ୍କୁ ତୁର୍କୀରେ ଧ୍ବଂସାବଶେଷ ଭିତରୁ ଜୀବିତ ଉଦ୍ଧାର କରାଯାଇଛି। କିନ୍ତୁ ଉତ୍ତର ପଶ୍ଚିମ ସିରିୟାରେ ଆଶା ମଉଳି ଯାଉଛି। ସେଠାରେ ସ୍ଥିତି ଅତି ଭୟାନକ ରହିଛି।
Comments are closed.