ସମ୍ବଲପୁରରେ କଡାକଡି ଟ୍ରାଫିକ ଚେକିଙ୍ଗ, ନାବାଳକକୁ ଲାଗିଲା ୪୩୦୦୦ ଟଙ୍କାର ଫାଇନ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ସରକାରଙ୍କ ପକ୍ଷରୁ ଧାଯ୍ୟ କରାଯାଇଥିବା ଯାନବାହନ ଯାଞ୍ଚର କୋହଲ ଅବଧି ଶେଷ ହେବା ପରେ ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଆରମ୍ଭ ହୋଇଛି ଜୋରଦାର ଟ୍ରାଫିକ ଚେକିଂ। ସମ୍ବଲପୁର ଜିଲ୍ଲାରେ ଟ୍ରାଫିକ ପୋଲିସ ସହ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଏହି ଚେକିଂ ଅଭିଯାନ କରାଯାଉଛି । ସହରର ଲଷ୍ମୀ ଟକିଜ ଛକ, ଜେଲ ଛକ, ମୁଦିପଡା ଛକ, ଅଇଁଠାପାଲି ଛକ, ଏଲ ଆଇସି ଛକ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ଏହି ଯାନବାହନ ଯାଞ୍ଚ ଅଭିଯାନ କରାଯାଉଛି । ବିଶେଷ କରି ବିନା ହେଲମେଟରେ ଗାଡି ଚାଲନା, ମୋବାଇଲ ରେ କଥା ହୋଇ ଗାଡି ଚାଲନା, ତିନି ଜଣ ବାଇକରେ ଗାଡି ଚାଲନା, ନାବାଲକଙ୍କ ଗାଡି ଚାଲନା ଓ ମଦ ପିଇ ଗାଡି ଚଲାଉଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଭାବରେ ନଜର ରଖାଯିବା ସହ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ତେବେ ମାର୍ଚ୍ଚ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାନବାହନ ଯାଞ୍ଚ ଅଭିଯାନରେ କେବଳ ସମ୍ବଲପୁର ସହରରେ ପ୍ରଥମ ଦିନ ୬୫୦ ଜଣ ଗାଡି ଚାଲକଙ୍କ ଠାରୁ ୨ଲକ୍ଷ ୬୬ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ସେହିଭଳି ଦ୍ୱିତୀୟ ଦିନରେ ପୋଲିସ ପକ୍ଷରୁ ୫୯୫ ଜଣ ଗାଡି ଚାଲକଙ୍କ ନିକଟରୁ ୧ ଲକ୍ଷ ୯୬ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା। ସେହିପରି ୪ ଜଣ ମଦ୍ୟପକୁ ମଧ୍ୟ ମଦ ପିଇ ଗାଡି ଚଲାଉଥିବା ସମୟରେ ପୋଲିସ ଧରିଥିବା ଜଣାପଡିଛି । ତେବେ ଯାନବାହନ ଯାଞ୍ଚ ସମୟରେ ଜଣେ ନାବାଳକ ବାଇକ ଚଳାଇ ଧରାପଡିବା ପରେ ୪୩ ହଜାର ଟଙ୍କାର ଫାଇନ ଲଗାଇଲେ ଟ୍ରାନ୍ସପୋର୍ଟ ବିଭାଗ। ଡ୍ରାଇଭିଂ ଲାଇସେନ୍ସ ନଥିବା ପାଇଁ ୫୦୦୦, ପ୍ରଦୂଷଣ ପ୍ରମାଣ ପତ୍ର ବାବଦରେ ୧୦୦୦୦, ହେଲମେଟ ୧୦୦୦, ଇନସୁରାନ୍ସ ୨୦୦୦ ଏବଂ ନାବାଳକ ଗାଡି ଚଳାଚଳ ନେଇ ୨୫୦୦୦ । ମୋଟ ୪୩୦୦୦ ଟଙ୍କାର ଫାଇନ କଟାଯାଇଥିଲା। ତେବେ ସଂପୃକ୍ତ ନାବାଳକ ମେଟ୍ରିକ୍ ପରୀକ୍ଷା ରେ ଡେରି ହେବାରୁ ବାପାଙ୍କ ଦୁଇଚକିଆ ନେଇ ଯାଉଥିବା କହିଥିବା ବେଳେ ଫାଇନ ପଇଠ କରିବାକୁ ପରିବାର ସକ୍ଷମ ନୁହେଁ ବୋଲି ପରିବାର ସଦସ୍ୟ କହିଛନ୍ତି । ତେବେ ନାବାଳକଙ୍କ ଠାରୁ ୪୩୦୦୦ଟଙ୍କାର ଫାଇନ କଟାଯିବା ଘଟଣା ଏବେ ସାରା ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.