ଆଜି ମଙ୍ଗୁ ମଠ ଉଚ୍ଛେଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଉଚ୍ଛେଦ ଘଟଣା ସଂପର୍କୀତ ଦାଏର ଅଦାଲତ ଅବମାନନା ଅଭିଯୋଗ ମାମଲାର ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍‌ ଏମ୍‌.ଆର ଶାହା ଓ ବିଚାରପତି ଜଷ୍ଟିସ୍‌ ହିମା କୋହଲିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ୪ ନଭେମ୍ବର ୨୦୧୯ ଆଦେଶକୁ ଉଲ୍ଲଂଘନ କରାଯାଇ ମଙ୍ଗୁ ମଠକୁ ରାଜ୍ୟ ସରକାର ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ଜଗଜିତ୍‌ ସିଂହ ଓ ରାଜୀବ କୁମାର, ଝାଡ଼ଖଣ୍ଡର ସଚ୍ଚା ସିଂହ, ମହାରାଷ୍ଟ୍ରର ଭିଜି ଥୋମାସଙ୍କ ଦ୍ବାରା ଅଦାଲତ ଅବମାନନା ମାମଲା ଦାଏର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଅକ୍ଟୋବର ୨୧, ୨୦୧୯ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଅତିରିକ୍ତ ସତ୍ୟପାଠରେ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ଜରୁରୀ ସମୟରେ ଅଗ୍ନିଶମ ଓ ଆମ୍ବୂଲାନ୍ସ ସେବା ପହଂଚାଇବା ତଥା ସୁରକ୍ଷା କାରଣରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଉଚ୍ଛେଦ କରାଯାଉଥିବା କଥା ଉଲ୍ଲେଖ କରିଯାଇଥିଲା।

ଅନ୍ୟପକ୍ଷେ, ଉଚ୍ଛେଦ ସମୟରେ ମଠ, ଦିଅଁ, ମନ୍ଦିର, ପୂଜାସ୍ଥଳୀ ଓ ସମାଧିକୁ ସୁରକ୍ଷିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ମଙ୍ଗୁ ମଠ ଉଚ୍ଛେଦ କରିଛନ୍ତି ବୋଲି ଅଭିଯୋଗ କରାଯାଇଛି। ମଙ୍ଗୁ ମଠର ମହନ୍ତ ଭବାନୀ ଶଙ୍କର ଦାସ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ରାଜ୍ୟ ଦେବୋତ୍ତର ଆୟୁକ୍ତଙ୍କ ବିରୋଧରେ ଅଦାଲତ ଅବମାନନା ଆଗତ କରାଯାଇଛି।

Comments are closed.