କୋଭିଡ ଟିକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ,, ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ‘ଦି ଇକନମିକ୍ ଟାଇମ୍ସ’ରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୋଭିଡ-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କଥା ଆଇସିଏମ୍ଆର ଓ ସିଡିଏସ୍ସିଓ ଅଧିକାରୀଙ୍କ ସୂତ୍ର ଉଦ୍ଧାର କରି ପ୍ରକାଶିତ ହୋଇଛି। ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇ ସମ୍ପୃକ୍ତ ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତିକର। ଏଥିରେ କୌଣସି ସତ୍ୟତା ନାହିଁ। ଏହି ଖବର ମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ କରିବାକୁ ଅପଚେଷ୍ଟା କରାଯାଇଛି।
ଏହି ସ୍ପଷ୍ଟୀକରଣରେ ଆହୁରି କୁହାଯାଇଛି ଯେ କୋଭିଡ୍ ଟିକାର ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଥିବା କଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଓ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସିଓ)ର ଅଧିକାରୀ ସ୍ୱୀକାର କରିଥିବା ଯାହା ରିପୋର୍ଟରେ କୁହାଯାଇଛି ତାହା ଅସତ୍ୟ। କୌଣସି ଅଧିକାରୀ ଏପରି କିଛି ତଥ୍ୟ ସମ୍ପୃକ୍ତ ସମ୍ବାଦପତ୍ରକୁ ଦେଇନାହାନ୍ତି। ସେହି ଖବର କାଗଜ ପୁଣି ଏକ ଆର୍ଟିଆଇ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଉଲ୍ଲେଖ କରିଛି।