ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ, କାଲିଠୁ ବଢିବ ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ନେଇଛି ଲଘୁଚାପର ରୂପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗେପସାଗର ଅଂଚଳରେ ଲଘୁଚାପଟି ସୃଷ୍ଟି ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବ । ଏହା ଘନିଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ପ୍ରଭାବରେ ଆଜିଠୁ ୨୨ ତାରିଖ ପର୍ୟ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଏଥିପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ୨୨ ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

କାଲି ପାଇଁ ୬ଜିଲ୍ଲାକୁ ଅରେଞ୍ଜ, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ପୁରୀରେ ୭୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାରେ ଧସିବ ପାହାଡ, ଧୋଇଯିବ କଚ୍ଚା ରାସ୍ତା, ଭାଙ୍ଗିବ କଚ୍ଚା ଘର । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବ । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୬୦କିଲୋମିଟର ରହିବ ।

ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ସୃଷ୍ଟିହେବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆସନ୍ତା ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.