ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଉହ୍ଲାଇବା ଘଟଣାର ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ମଦ୍ୟପାନ କରି ବିମାନବନ୍ଦରରୁ ତଡ଼ା ଖାଇଥିବା କଥା ସତ କି ନୁହେଁ ତାହାର ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ମୁଖ୍ୟମନ୍ତ୍ରୀ ମାନ୍‌ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନରେ ମଦ୍ୟପାନ କରି ଚଢ଼ି ଥିବାରୁ ଜର୍ମାନର ଫ୍ରାଙ୍କ୍‌ଫର୍ଟ ବିମାନବନ୍ଦରରୁ ତଡ଼ା ଖାଇଛନ୍ତି ବୋଲି ଗତକାଲି ଏକ ଖବର ପ୍ରକାଶ ପାଇଥିଲା। ଏହାର ସତ୍ୟତା ଜ‌ାଣିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯାଞ୍ଚ୍‌ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୋତିରାଦିତ୍ୟା ସିନ୍ଦିୟା କହିଛନ୍ତି। ସେ କହିଛନ୍ତି ଯେ ‘ଘଟଣାଟି ଅନ୍ତର୍ଜାତୀୟ ମାଟିରେ ଘଟିଛି। ଯାଞ୍ଚ୍‌ କରି ଆମେ ପ୍ରଥମେ ନିଶ୍ଚିତ ହେବୁ। ସଠିକ୍‌ ତଥ୍ୟ ପ୍ରଦାନ କରିବା ଲୁଫ୍ଥାଞ୍ଜା ଏୟାରଲାଇନ୍ସ ଉପରେ ନିର୍ଭର କରେ। ମୋ‌ ପାଖକୁ ଆସିଥିବା ଅନୁରୋଧକୁ ଆଧାର କରି ମୁଁ ନିଶ୍ଚିତ ଭାବେ ଏହାର ତଦନ୍ତ କରିବି।’

ଫ୍ରାଙ୍କ୍‌ଫର୍ଟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ବିମାନରୁ ମଦ୍ୟପାନ କରିଥିବା କାରଣକୁ ନେଇ ଭଗୱନ୍ତ ମାନ୍‌ଙ୍କୁ ତଡ଼ି ଦିଆଯାଇଥିବା ଖବରଟି ପ୍ରକାଶ ପାଇବା ପରେ ଏହା ରାଜନୈତିକ ମହଲରେ ଏକ ଝଡ଼ ସୃଷ୍ଟି କରିଛି। ଭଗୱନ୍ତ ମାନ୍‌ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିବାରୁ ଲୁଫ୍ଥାଞ୍ଜା ଏୟାରଲାଇନ୍ସ ତାଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ସିରୋମଣି ଅକାଲି ଦଳ ଓ ପଞ୍ଜାବ କଂଗେ୍ରସ କରିଥିଲେ। ଏପରିକି ଭଗୱନ୍ତ ମାନଙ୍କ ପାଇଁ ବିମାନଟି ୪ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଖବର ବି ପ୍ରକାଶ ପାଇଥିଲା।

Comments are closed.