ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କଲେ କୋର୍ଟ

ମୁମ୍ବାଇ: ‘ଆଇସିଆଇସି’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ମୁକ୍ତ କରାଯିବ।

ଧୂତଙ୍କୁ ଜାମିନ ଦେବା ବିରୋଧରେ ମଧ୍ୟ ଅଦାଲତରେ ଓକିଲମାନଙ୍କଦ୍ବାରା ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଦାଖଲ କରାଯାଇଥିଲା। ସେମାନଙ୍କ ଉପରେ ଅଦାଲତ ୨୫,୦୦୦ ଟଙ୍କା ଜରିମାନା କରିବାକୁ ଆଦେଶ ଦେଇଛନ୍ତି। ଜରିମାନା ବାବଦ ଆଦାୟ ଅର୍ଥ ମହାରାଷ୍ଟ୍ର ଲିଗାଲ୍‌ ଏଡ୍‌ ସର୍ଭିସେସ୍‌ରେ ପୈଠ କରାଯିବ।

ସେମାନଙ୍କ ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଫାଇଲ୍‌ ଓ ତାଲିକାଭୁକ୍ତ ହୋଇଛି ବୋଲି ଦାବି କରିଥିବା ଓକିଲମାନଙ୍କୁ ଅଦାଲତ ଭର୍ତ୍ସନା କରି କହିଛନ୍ତି। ଆମେ ଆପଣମାନଙ୍କ କଥାକୁ ବିଶ୍ବାସ କରିଥିଲୁ। ଭର୍ତ୍ସନା କରିବାର କାରଣ ହେଲା, ଅଦାଲତ ସେଭଳି କ‌ୌଣସି ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍’ ପାଇ ନ ଥିଲେ।

Comments are closed.