ଦିଲ୍ଲୀରେ ପଶିଛନ୍ତି ୪ ଆତଙ୍କବାଦୀ, ଦଶହରାରେ ଆକ୍ରମଣର ଯୋଜନା ରଖିଥିବାରୁ ଆଲର୍ଟ ଜାରି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ରକ୍ତ ଚାଉଳ ଚୋବାଉଥିବା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ନବରାତ୍ରୀ ଓ ଦଶହରା ଭଳି ଉତ୍ସବରେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଗୁପ୍ତ ସୂତ୍ରରୁ ସୂଚନା ମିଳିଛି କି, ଜୈଶ ସଙ୍ଗଠନର ୪ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଦିଲ୍ଲୀରେ ପ୍ରବେଶ କରିସାରିଛନ୍ତି । ଜୈଶର ଏହି ଆତଙ୍କବାଦୀ ଉତ୍ସବ ସମୟରେ ବଡ ଆକ୍ରମଣର ଯୋଜନା କରୁଥିବା ଜଣାପଡିଛି ।

ଖବର ମିଳିବା ପରେ ସମସ୍ତ ସୁରକ୍ଷାବଳଙ୍କୁ ଆଲର୍ଟ ଜାରି କରିଛନ୍ତି ଖୁଫିଆ ବିଭାଗ । ଏନେଇ ରାଜଧାନୀ ଦିଲ୍ଲୀର ସମସ୍ତ ସ୍ଥାନରେ ଚେକିଂ ଆରମ୍ଭ କରିଦେଇଛି ପୋଲିସ । ଖୁଫିଆ ବିଭାଗ ଅନୁସାରେ, ଦିଲ୍ଲୀରେ ପଶିଥିବା ଏହି ୪ ଆତଙ୍କୀ କୌଣସି ଭିଡ ଜାଗା, ବଜାର, ମନ୍ଦିର ବା ଧାର୍ମିକ ସ୍ଥାନରେ ଧମାକା କରିପାରନ୍ତି । ଏହା ସହ ଆକ୍ରମଣ ପାଇଁ ସେମାନେ ସାଇକେଲ, ବାଇକ୍ ବା କାରର ମଧ୍ୟ ବ୍ୟବହାର କରିପାରନ୍ତି । ଆଲର୍ଟରେ କୁହାଯାଇଛି କି, ଆକ୍ରମଣ ପାଇଁ ଆତଙ୍କୀମାନେ ପୋଲିସର ଗାଡିକୁ ଲଗାଇ ପାରନ୍ତି ।

ତେବେ ଏହି ଆତଙ୍କବାଦୀମାନେ ଭାରତୀୟ ସୀମା ଡେଇଁ ଦିଲ୍ଲୀରେ ପଶିଥିବା ଜଣାପଡିଛି । ଆଲର୍ଟ ଜାରି ହେବା ପରେ ଦିଲ୍ଲୀରେ ଥିବା ବଡ ମନ୍ଦିର ଓ ମହତ୍ୱପୂର୍ଣ୍ଣ ଇମାରତରେ ସୁରକ୍ଷାବଳ ବଢାଇଦିଆଯାଇଛି ।

Comments are closed.