ଓଡ଼ିଶାର ସର୍ବ ବୃହତ ଦୀର୍ଘତମ ଟି-ସେତୁର ନାମକରଣ ହେବନାହିଁ କି ?
କଟକ : କଟକ ଜିଲ୍ଲାର ଗମନାଗମନ କ୍ଷେତ୍ରରେ ବଡମ୍ବା ଏବଂ ବାଙ୍କୀ ମଧ୍ୟରେ ଯୋଡ଼ି ହେଲା ବିକାଶର ଫର୍ଦ୍ଦ । ଗତକାଲି ମୁଖ୍ୟମନ୍ତ୍ରୀ ବଡମ୍ବାର ଗୋପୀନାଥପୁର ଠାରେ ଆୟୋଜିତ ଜନସଭାରେ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ମହାନଦୀ ଉପରେ 111କୋଟି ଟଙ୍କାର 3 କିଲୋମିଟର 139 ମିଟର ରୁ ଉର୍ଦ୍ଧ୍ବ ବଡମ୍ବା ଗୋପୀନାଥପୁର-ବାଙ୍କୀ ବୈଦେଶ୍ୱର ଏବଂ ବାବା ସିଂହନାଥ ଙ୍କ ମନ୍ଦିର କୁ ସଂଯୋଗ ନୂତନ ଟି-ସେତୁ ପ୍ରକଳ୍ପ । ଏହି ସେତୁ ହେବା ଫଳରେ ଗୋପୀନାଥପୁର-ସିଂହନାଥ ପୀଠ-ବୈଦେସ୍ୱର ମଧ୍ୟରେ ୪୫ କିଲୋମିଟର ଦୂରତ୍ୱ କମିବ ଫଳରେ ୫ ଲକ୍ଷ ଲୋକ ଉପକୃତ ହେବେ । ଏଥିସହ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କାର ଯୋଗେ ନୂତନ ସେତୁରେ ପ୍ରସିଦ୍ଧ ସିଂହନାଥ ଙ୍କ ଶୈବପୀଠ କୁ ଯାଇ ସେଠାରେ ସେବାୟତଙ୍କ ଠାରୁ ବାବା ସିଂହନାଥ ଙ୍କ ଆଜ୍ଞାମାଳ ସହିତ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଛନ୍ତି | ଏହି ଲୋକାର୍ପଣ ମହୋତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,କଟକ ସାଂସଦ ଭର୍ତ୍ତୃହରି ମହତାବ,ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ।
ଏହି ସେତୁ ଏବେ ଗମନାଗମନ ଏବଂ ବାଣିଜିକ ଅଭିବୃଦ୍ଧିରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ମାଇଲଖୁଣ୍ଟ ଭାବେ କାର୍ଯ୍ୟକରିବ । ଏଥି ସହ ନଦୀ ଗର୍ଭରେ ଥିବା ବାବା ସିଂହନାଥ ଙ୍କ ଶୈବପୀଠ ପର୍ଯ୍ୟଟନ ମାନ ଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀରେ ୩ କିଲୋମିଟର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ପରେ ବର୍ଷା ଦିନେ ମାଟି ରାସ୍ତାଟି ଭାସି ଯାଉଥିଲା । ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିବାବେଳେ ଶେଷରେ ତାହା ସାକାର ହୋଇଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 2014 ମସିହା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଶିଳାନ୍ୟାସ କରିଥିଲେ । କିନ୍ତୁ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ଘଟି 2018 ମସିହାରେ ସେତୁର ନିର୍ମାଣ ଆରମ୍ଭ ହୋଇଥିବା ସମୟେ ଗତକାଲି ଏହି ସେତୁର ଲୋକାର୍ପଣ ହୋଇଛି । ଏହି ଟି-ସେତୁ ଓଡିଶାର ସର୍ବ ବୃହତ ସେତୁ ବୋଲି ଜଣାପଡିଛି କିନ୍ତୁ ସବୁଠୁ ବଡ଼ ଦୁଃଖର ବିଷୟ ହେଲା ସେତୁର ନାମକରଣ ବର୍ତମାନ ପର୍ଯ୍ୟନ୍ତ ହୋଇନାହିଁ । ପୁର୍ବରୁ ପୂଜ୍ୟପୁଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ଏହି ସେତୁଟି ବାଙ୍କୀର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ କରିବାକୁ ପୂର୍ତ୍ତ ଓ ସଂସ୍କୃତି ବିଭାଗକୁ ଚିଠି ଲେଖି ଦାବୀ କରିଥିଲେ ଏଥିସହିତ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦାବୀ ମଧ୍ୟ ସେଇଆ ଥିଲା । କିନ୍ତୁ ଏହି ଦାବୀକୁ ଏପର୍ଯ୍ୟନ୍ତ ବିଚାର କୁ ନିଆଗଲା ନାହିଁ ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳର ବରପୁତ୍ରଙ୍କ ନାମରେ ସେତୁର ନାମକରଣ ନେଇ କେଉଁଠି ଅସୁବିଧା ରହୁଛି ଏବଂ ଏଥିପ୍ରତି ସରକାରଙ୍କ ଆନ୍ତରିକତା କେତେବୋଲି ସଧାରଣରେ ପ୍ରଶ୍ନଵାଚି ସୃଷ୍ଟି ହୋଇଛି ।
Comments are closed.