କେନ୍ଦ୍ର ସରକାରଙ୍କ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ରାଜ୍ୟ-ଭିତ୍ତିରେ ଧାର୍ମିକ ଓ ଭାଷାଗତ ସଂଖ୍ୟାଲଘୁମାନଙ୍କୁ ଚିହ୍ନଟ କରାଯିବା ଉଚିତ ବୋଲି ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନ୍ସିଏମ୍)ର ମତ ପରିପ୍ରେକ୍ଷୀରେ ମଙ୍ଗଳବାର ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରିପାରି ନାହାନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଛଅଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମତାମତ ନେବା ଲାଗି ଅଧିକ ସମୟ ମାଗିଥିଲେ, ଯେଉଁମାନେ ଆଜିଯାଏ ଏ ବାବଦରେ ନୀରବ ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ୨୪ଟି ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶ ସଂଖ୍ୟାଲଘୁ ଚିହ୍ନଟୀକରଣ ସମ୍ପର୍କରେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। କେତେକ ରାଜ୍ୟ କେନ୍ଦ୍ର ଉପରେ ଏ କାମର ଦାୟିତ୍ବ ଛାଡ଼ିଦେଇଛନ୍ତି କିମ୍ବା ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ମତ ଦେଇଛନ୍ତି। ଆସାମ ଓ ଉତ୍ତରାଖଣ୍ଡ ପରି କେତେକ ବିଜେପି-ଶାସିତ ରାଜ୍ୟ ଏବଂ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ପରି ଆଞ୍ଚଳିକ ଦଳ ଦ୍ବାରା ଶାସିତ ରାଜ୍ୟ କହିଛନ୍ତି ଯେ ସଂଖ୍ୟାଲଘୁ ଗଣନା ରାଜ୍ୟସ୍ତରରେ ହେବା ଉଚିତ।
ମଙ୍ଗଳବାର ଜଷ୍ଟିସ୍ ସଞ୍ଜୟ କିଷନ କୌଲଙ୍କ ନେତୃତ୍ବାଧୀନ ବେଞ୍ଚ ଆଗରେ ହାଜର ହୋଇ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି କହିଲେ ଯେ, ଯେଉଁ ଛଅଟି ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶ ନୀରବ ଅଛନ୍ତି, ସେମାନେ ହେଉଛନ୍ତି ଜମ୍ମୁ-କାଶ୍ମୀର, ଅରୁଣାଚଳପ୍ରଦେଶ, ଲାକ୍ଷାଦ୍ବୀପ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ତେଲେଙ୍ଗାନା।
ଏହାପରେ ଜଷ୍ଟିସ୍ କୌଲ କହିଥିଲେ- ତା’ହେଲେ ଆମେ ଧରିନବୁ ଯେ ସେମାନଙ୍କର କିଛି କହିବାର ନାହିଁ? ବର୍ତ୍ତମାନ ତ ଜମ୍ମୁ-କାଶ୍ମୀର ଆପଣଙ୍କ (କେନ୍ଦ୍ର) ଦ୍ବାରା ଶାସିତ ହେଉଛି ଏବଂ ଲାକ୍ଷାଦ୍ବୀପ ବି। ତା’ ମାନେ କ’ଣ ଆପଣଙ୍କ ନିଜ ପ୍ରଶାସନ ଉତ୍ତର ଦେଉନାହିଁ? ଜଷ୍ଟିସ୍ କୌଲ ପଚାରିଥିଲେ। ଆଟର୍ଣ୍ଣି ଜେନେରାଲ କହିଥିଲେ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ହେଉଛନ୍ତି ବଡ଼ ରାଜ୍ୟ ଏବଂ ସେମାନଙ୍କ ପ୍ରତିକ୍ରିୟା ଗୁରୁତ୍ବପୂର୍ଣ୍ଣ।