ତାମିଲନାଡୁ ନୂଆ ନାଁ ନେଇ ଏମିତି କହିଲେ ରାଜ୍ୟପାଳ

ଚେନ୍ନାଇ : ତାମିଲନାଡ଼ୁ ରାଜ୍ୟପାଳ ଆର୍‌ଏନ୍ ରବି ତାମିଲନାଡ଼ୁ ପାଇଁ ‘ତାମିଝଗମ୍’ ଶବ୍ଦ ବ୍ୟବହାର କରିବା ନେଇ ଅନେକ ସମାଲୋଚନା ଓ ପ୍ରତିବାଦର ସ୍ବର ଉଠିଛି। ଏହା ଉପରେ ସ୍ପଷ୍ଟୀକରଣ ଦେଇ ରବି କହିଛନ୍ତି ଯେ ତାମିଲନାଡ଼ୁର ଏକ ନୂଆ ନାଁ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଲୋକେ ତାଙ୍କ ଭାଷଣର ଅର୍ଥ ବୁଝି ନ ପାରି ଏପରି ମନ୍ତବ୍ୟ ଦେଉଛନ୍ତି।

ରାଜ୍ୟପାଳ ରବି କହିଛନ୍ତି, ସେ ତାମିଲନାଡ଼ୁର ନାମ ବଦଳାଇ ତାମିଝଗମ୍ ରଖିବାକୁ ପ୍ରସ୍ତାବ ଦେଉଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି ତାହା ଭୁଲ୍। ତାମିଝଗମ୍ ହେଉଛି ତାମିଲନାଡ଼ୁର ପୁରାତନ ନାମ। ତାମିଲନାଡ଼ୁ ସହ କାଶୀର ଐତିହାସିକ ସାଂସ୍କୃତିକ ସମ୍ପର୍କ ବୁଝାଇବାକୁ ଯାଇ ସେ ତାମିଲନାଡ଼ୁର ଏହି ଐତିହାସିକ ନାମକୁ ଉଲ୍ଲେଖ କରିଥିଲେ। କାରଣ ସେ ସମୟରେ ତାମିଲନାଡ଼ୁ ନାମ ହିଁ ନ ଥିଲା। ମୋ ଭାଷଣର ମୂଳ ତତ୍ତ୍ବ ବୁଝି ନ ପାରି ସମାଲୋଚନା କରାଯାଉଛି ବୋଲି ରବି କହିଛନ୍ତି। ତାମିଲନାଡ଼ୁ ମାନେ ତାମିଲମାନଙ୍କ ଦେଶ (ନେସନ ଅଫ୍ ତାମିଲସ) ଏବଂ ତାମିଝଗମ୍ ମାନେ ତାମିଲ ଲୋକଙ୍କ ଘର (ହୋମ୍ ଅଫ୍ ତାମିଲ ପିପୁଲ)। ତାମିଲନାଡ଼ୁ ହେଉଛି ଆଧୁନିକ ନାଁ ଏବଂ ତାମିଝଗମ୍ ହେଉଛି ଏହାର ପ୍ରାଚୀନ ନାଁ। ମୁଁ ତାମିଲନାଡ଼ୁ ନାମର ବିରୋଧୀ ନୁହେଁ କିମ୍ବା ରାଜ୍ୟର ଏହି ନାମ ପରିବର୍ତ୍ତନ କରିବାକୁ ଚାହୁନାହିଁ ବୋଲି ରାଜ୍ୟପାଳ ରବି କହିଛନ୍ତି।

Comments are closed.