ସମଲିଙ୍ଗ ସମ୍ବନ୍ଧ ପାଇଁ ମେଡିକାଲ ଗବେଷଣା ହେଉ: ସୁବ୍ରମଣିୟମ୍

ସମଲିଙ୍ଗ ସମ୍ବନ୍ଧ ଅପରାଧ ବୋଲି ଘୋଷଣା କରୁଥିବା ଧାରା ୩୭୭ ଉପରେ ପୁଣିଥରେ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି । ବିଜେପି ନେତା ସୁବ୍ରମଣିୟମ୍ ସ୍ୱାମୀ ଏହାକୁ ନେଇ ଘୋର ବିରୋଧ କରୁଛନ୍ତି ।

ସେ କହିଛନ୍ତି, “ହୋମୋସେକ୍ସୁଆଲ ସମ୍ବନ୍ଧ ହିନ୍ଦୁତ୍ୱ ବିରୋଧୀ, ଏହା ଭାରତୀୟ ସମାଜ ପାଇଁ ସାଧାରଣ ନୁହେଁ, ଏହାକୁ ଗ୍ରହଣ କରାଯିବ ନାହିଁ ”। ସୁପ୍ରିମ କୋର୍ଟର ନିର୍ଣ୍ଣୟ ପୂର୍ବରୁ ସ୍ୱାମୀ କହିଥିଲେ, “ହୋମୋସେକ୍ସୁଆଲର ମେଡିକାଲ ଗବେଷଣା କରାଯାଉ ”। ସେ କେନ୍ଦ୍ର ସରକାରଙ୍କୁ ଏ ମାମଲାରେ ହସ୍ତକ୍ଷେପ କରି କୋର୍ଟରେ ୭ରୁ ୯ ଜଣ ବିଚାରପତିଙ୍କୁ ନେଇ ଏକ ବୈଠକ କରିବା ପାଇଁ ଅପିଲ କରିଛନ୍ତି । ତେବେ ଏହା ପୂର୍ବରୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଦ୍ୱାରା ଏ ମାମଲାକୁ ଚାରି ସପ୍ତାହ ଘୁଞ୍ଚାଇବା ପାଇଁ କରିଥିବା ଅପିଲକୁ ଖାରଜ କରିଥିଲେ ।

୧୮୬୨ ମସିହାରେ ଇଂରେଜମାନେ ଧାରା ୩୭୭ ଆଇନ ଆରମ୍ଭ କରିଥିଲେ । ଏ ଆଇନ ଅନୁଯାୟୀ ଅପ୍ରାକୃତିକ ଯୌନ ସମ୍ବନ୍ଧ ବେଆଇନ ବୋଲି ଘୋଷଣା କରାଯାଇଥିଲା ।

୨୦୦୯ ମସିହାରେ ହାଇକୋର୍ଟ ରାୟ ଶୁଣାଇ କହିଥିଲେ ଦୁଇ ଜଣ ବୟସ୍କ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ସମଲିଙ୍ଗି ଯୌନ ସମ୍ବନ୍ଧ ରଖିଲେ ଏହାକୁ ଧାରା ୩୭୭ ଅନୁଯାୟୀ ଅପରାଧ ବୋଲି ଗ୍ରହଣ କରାଯିବ ନାହିଁ । କୋର୍ଟ ସମସ୍ତ ନାଗରିକଙ୍କ ଅଧିକାରକୁ ନଜର କରି ଏ ରାୟ ଶୁଣାଇଥିଲେ । କିନ୍ତୁ ୨୦୧୩ରେ ସୁପ୍ରିମ କୋର୍ଟ, ହାଇ କୋର୍ଟର ଏହି ରାୟକୁ ଖାରଜ କରିଥିଲେ ଓ ୩୭୭ ଧାରା ଥିବା ଯାଏ ସମଲିଙ୍ଗି ସମ୍ବନ୍ଧ ବେଆଇନ ବୋଲି ଗ୍ରହଣ କରାଯିବ ବୋଲି ରାୟ ଶୁଣାଇଥିଲେ ।

Comments are closed.