ରାଜ୍ୟସ୍ତରୀୟ କ୍ରାନ୍ତିଦିବସ: ସଂଗ୍ରାମୀ ପରିବାରକୁ ମିଳିବ ପେନ୍‌ସନ୍

ଭୁବନେଶ୍ବର: ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚରମ ତ୍ୟାଗ ଓ ବଳିଦାନ ରହିଛି। ତେଣୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ। ରାଜ୍ୟ ସରକାର ‘କୁଟୁମ୍ବ’ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ପେନ୍‌ସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି। ଆଜି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଥମେ ସହିଦ ସ୍ତମ୍ଭରେ ପୁଷ୍ପ ପ୍ରଦାନ କରି ସହିଦ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ପରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ସଦସ୍ୟଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ସଂଗ୍ରାମ ଇତିହାସର ଏକ ପବିତ୍ର ଦିନ। ଅଗଷ୍ଟ କ୍ରାନ୍ତି ଦେଶର ଇତିହାସର ଦିଗ ପରିବର୍ତ୍ତନ କରିଥିଲା। ଆଜିର ଦିନଟି ହେଉଛି ଦେଶ ପାଇଁ ଅସୀମ ତ୍ୟାଗ କରିଥିବା ସଂଗ୍ରାମୀମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଜୀବନରୁ ପ୍ରେରଣା ନେବାର ଦିନ। ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ସାରା ଭାରତର କୋଣ ଅନୁକୋଣରେ ପରିବ୍ୟାପ୍ତ ହୋଇଥିଲା। ଭାରତଛାଡ଼ ଆନ୍ଦୋଳନ ଥିଲା ବାସ୍ତବରେ ଏକ ସର୍ବଭାରତୀୟ ଆନ୍ଦୋଳନ। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଧନୀ ଗରିବ ସମସ୍ତେ ଏ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

Comments are closed.