ବିଜେପିକୁ ଟାର୍ଗେଟ କରି ଏମିତି କହିଲେ ସଞ୍ଜୟ
ନୂଆଦିଲ୍ଲୀ : ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କର୍ଣ୍ଣାଟକରେ ପରାଜୟ ସ୍ବୀକାର କରିଛନ୍ତି। କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର ସତ୍ତ୍ବେ ବିଜେପି କର୍ଣ୍ଣାଟକରେ ବିଫଳ ହେବାରୁ ଏବେ ବିରୋଧୀ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।
କର୍ଣ୍ଣାଟକରେ କଂଗ୍ରେସ ଜିତିବା ପରେ ଶିବସେନା (ଉଦ୍ଧବ ଦଳ) ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି, ‘ମୋଦୀ ଲହର ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଆମର ଲହର ସାରା ଦେଶରେ ଆସୁଛି। ୨୦୨୪ଲୋକସଭା ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଆଜି ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଏକ କୈଠକ ଡକାଯାଇଛି। ଏହି ବୈଠକରେ ଆମେ ୨୦୨୪ନିର୍ବାଚନ ବିଷୟରେ ଆଲୋଚନା କରିବୁ ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବୁ।
ସଞ୍ଜୟ ରାଉତଙ୍କ ପୂର୍ବରୁ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଜେପିକୁ ସମାଲୋଚିତ କରିଥିଲେ। ଅଖିଳେଶ ଯାଦବ କହିଥିଲେ ଯେ, ‘କର୍ଣ୍ଣାଟକରେ କଂଗ୍ରେସ ଜିତିବା ପରେ ବିଜେପିକୁ ଉଚିତ୍ ଜବାବ ମିଳିଛି। କର୍ଣ୍ଣାଟକ ଫଳାଫଳ ଜଣାଇଛି ଯେ, ବିଜେପିର ନକାରାତ୍ମକ, ସାମ୍ପ୍ରଦାୟିକ, ଦୁର୍ନୀତିଗ୍ରସ୍ତ, ମହିଳା-ଯୁବପିଢ଼ି ବିରୋଧୀ, ସାମାଜିକ-ବିଭାଜନ, ମିଥ୍ୟା ପ୍ରଚାର, ବ୍ୟକ୍ତିଗତ ରାଜନୀତିର ଅନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଅହଂକାର, ଖରାପ ଆଚରଣ, ଏଜେନ୍ସି ରାଜନୀତି ଏବଂ ଅତ୍ୟାଚାର ହିଁ କର୍ଣ୍ଣାଟକରେ ବିଜେପିର ପରାଜୟର କାରଣ ହୋଇଛି। ବିଜେପିର ଅନ୍ତ ଆରମ୍ଭ ହୋଇଛି।