ଉତ୍ତରପ୍ରଦେଶରେ ବିଜେପିର ବିଶାଳ ବିଜୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବିଶାଳ ବିଜୟ ହୋଇଛି। ରାଜ୍ୟରେ ସମସ୍ତ ୧୭ଟି ମେୟର ଆସନରେ ବିଜେପି ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୨ ଦିନରେ ୫୦ ରୢାଲି କରି ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେଇଛନ୍ତି। ଏସ୍‌ପି, ବିଏସ୍‌ପି ଏବଂ ଏଆଇଏମ୍‌ଆଇଏମ ମଧ୍ୟରେ ମୁସଲିମ ଭୋଟ ବିଭାଜନ ମଧ୍ୟ ଅନେକ ଆସନରେ ବିଜେପି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଗତ ଥର ପରି ଚଳିତ ନିର୍ବାଚନରେ ମଧ୍ୟ ଉଭୟ ସପା ଏବଂ କଂଗ୍ରେସ ନଗର ନିଗମ ମେୟର ଆସନରେ ଖାତା ଖୋଲି ପାରିନାହାନ୍ତି। ବିଜେପି ନଗର ପାଳିକା ଏବଂ ନଗର ପଞ୍ଚାୟତ ନିର୍ବାଚନରେ ବି ବିପୁଳ ବିଜୟ ହାସଲ କରିଛି। ବିଜେପି ୯୮ଟି ପୌରାଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ସମାଜବାଦୀ ପାର୍ଟି ୫୮, ବହୁଜନ ସମାଜବାଦୀ ପାର୍ଟି ୧୯ ଏବଂ କଂଗ୍ରେସ ୭ଟି ପୌରାଧ୍ୟକ୍ଷ ଆସନରେ ବିଜୟୀ ହୋଇଛି।

ଅନ୍ୟମାନଙ୍କୁ ୧୬ ଆସନ ମିଳିଛି। ନଗର ପଂଚାୟତ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେପିକୁ ବଡ଼ ସଫଳତା ମିଳିଛି। ବିଜେପିର ୨୦୪ ନଗର ପଂଚାୟତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ୧୭୧, ବିଏସ୍‌ପିର ୫୧ ଏବଂ କଂଗ୍ରେସର ୪୪ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କୁ ୭୪ ଆସନ ମିଳିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ, ଅଯୋଧ୍ୟା, ବାରଣାସୀ, ଗାଜିଆବାଦ, ବରେଲି, ଶାହଜାହାନପୁର, ଆଲିଗଡ଼, କାନପୁର, ମିରଟ, ଝାନ୍‌ସୀ, ପ୍ରୟାଗରାଜ, ଗୋରଖପୁର, ଆଗ୍ରା, ମଥୁରା, ମୋରାଦାବାଦ, ଶାହରନପୁର, ଫିରୋଜାବାଦ ମେୟର ଆସନରେ ବିଜେପି ଜିତିଛି। ଉଲ୍ଲେଖଯୋଗ୍ୟ, ମେ’ ୪ ଏବଂ ୧୧ ତାରିଖରେ ୨ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ପୌର ନିର୍ବାଚନ ହୋଇଥିଲା।

Comments are closed.